ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି, କେହି ବି ଖାଲି ପେଟରେ ଶୋଇବାକୁ ଯିବା ଉଚିତ ନୁହେଁ। ଖାଦ୍ୟ ସମସ୍ତଙ୍କ ପାଖରେ ପହଞ୍ଚୁଛି ଏବଂ କେହି ବି ଖାଲି ପେଟରେ ଶୋଉନାହାନ୍ତି ବୋଲି ସୁନିଶ୍ଚିତ କରାଇବା ଆମର ସଂସ୍କୃତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ)ଅଧୀନରେ ଖାଦ୍ୟଶସ୍ୟ ସମସ୍ତଙ୍କ ନିକଟରେ ପହଞ୍ଚୁଛି ବୋଲି କେନ୍ଦ୍ର ସରକାର ଦେଖିବା ଉଚିତ। ଜଷ୍ଟିସ ଏମ୍ଆର ଶାହ ଏବଂ ହିମା କୋହଲିଙ୍କ ଖଣ୍ଡପୀଠ ଆଜି କେନ୍ଦ୍ର ସରକାରଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଇ-ଶ୍ରମ ପୋର୍ଟାଲରେ ପଂଜିକୃତ ହୋଇଥିବା ପ୍ରବାସୀ ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ର ଶ୍ରମିକଙ୍କ ସଂଖ୍ୟା ସହ ଏକ ସଦ୍ୟ ତଥ୍ୟ ଉପସ୍ଥାପନ କରିବାପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟ କହିଛନ୍ତି, ଏନ୍ଏଫଏସଏ ଅଧୀନରେ ସରକାର ଖାଦ୍ୟଶସ୍ୟ ସମସ୍ତଙ୍କ ନିକଟରେ ପହଞ୍ଚାଇବା ନିଶ୍ଚିତ କରିବା ଉଚିତ। ଆମେ କହୁନୁ ଯେ କେନ୍ଦ୍ର ସରକାର କିଛି କରୁନାହାନ୍ତି। କରୋନା ମହାମାରୀ ସମୟରେ ଲୋକଙ୍କ ପାଇଁ ଖାଦ୍ୟଶସ୍ୟ ନିଶ୍ଚିତ କରାଗଲା ଏବଂ ଏହା ମଧ୍ୟ ଜାରି ରହିଲା। ତେବେ କେହି ବି ଯେଭଳି ଖାଲି ପେଟରେ ନଶୁଅନ୍ତି ତାହା ନିଶ୍ଚିତ କରାଇବା ଆମର ସଂସ୍କୃତି ବୋଲି ଖଣ୍ଡପୀଠ କହିଛନ୍ତି। କରୋନା ମହାମାରୀ ଏବଂ ଲକ୍ଡାଉନ୍ ପାଇଁ ପ୍ରବାସୀ ଶ୍ରମିକମାନେ ସାମ୍ନା କରିଥିବା ଦୁର୍ଦ୍ଦଶା ସଂକ୍ରାନ୍ତରେ ଏକ ପିଆଇଏଲ୍ ଉପରେ କୋର୍ଟ ଶୁଣାଣି କରି ଏହା କହିଛନ୍ତି।
୩ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଏନେଇ କୋର୍ଟରେ ଆବେଦନ ହୋଇଥିଲା। ତେବେ ୩ ଜଣ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଆଜି ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟରେ ଉପସ୍ଥିତ ରହି କହିଛନ୍ତି, ଦେଶର ଜନସଂଖ୍ୟା ୨୦୧୧ ଜନଗଣନା ପରେ ବୃଦ୍ଧି ପାଇଛି ଏବଂ ଏନ୍ଏଫଏସଏ ଅଧୀନରେ ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସେ କହିଛନ୍ତି, ଯଦି ଏନଏଫଏସଏର ସଠିକ କାର୍ଯ୍ୟକାରୀ ନହୁଏ ତେବେ ଅନେକ ହିତାଧିକାରୀ ସୁବିଧା ପାଇବାରୁ ବଞ୍ଚିତ ହେବେ। ଅନ୍ୟପକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭଟି କୋର୍ଟରେ ଉପସ୍ଥିତ ରହି କହିଥିଲେ ଯେ ଏନଏଫ୍ଏସଏ ଅଧୀନରେ ୮୧.୩୫ କୋଟି ହିତାଧିକାରୀ ଅଛନ୍ତି। ଏଏସ୍ଜି କହିଛନ୍ତି, ୨୦୧୧ ଜନଗଣନା ସରକାରଙ୍କୁ ହିତାଧିକାରୀ ତାଲିକାରେ ଅଧିକ ଲୋକଙ୍କୁ ସାମିଲ କରାଇବାପାଇଁ ଅଟକାଇନି। ସରକାର ଯଥାରୀତି ହିତାଧିକାରୀ ତାଲିକାରେ ଅଧିକ ଲୋକଙ୍କୁ ସାମିଲ କରିଛନ୍ତି ବୋଲି ସେ କହିଛନ୍ତି।