ବଢ଼ିବନି ପାରୋଲ ଅବଧି, ପୁଣି ଜେଲକୁ ଫେରିବେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ନଳିନୀଙ୍କ ପାରୋଲ ଅବଧି ବଢାଇବାକୁ ମନା କଲେ ମାଡ୍ରାସ ହାଇକୋର୍ଟ | ଅକ୍ଟୋବର ୧୫ ତାରିଖ ଯାଏଁ ପାରୋଲ ଅବଧି ବଢାଇବାକୁ ମାଡ୍ରାସ ହାଇକୋର୍ଟଙ୍କ ନିକଟରେ ନଳିନୀ ଆବେଦନ କରିଥିଲେ | କିନ୍ତୁ ହାଇକୋର୍ଟ ତାଙ୍କ ଅନୁରୋଧକୁ ଖାରଜ କରିଦେଇଛନ୍ତି | ଏଠାରେ ସୂଚନା ଥାଉ କି ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ ଜୁଲାଇ ୨୫ ତାରିଖରେ ପାରୋଲ୍‌ରେ ଯାଇଥିଲେ ।

ନଳିନୀ ତାଙ୍କ ଝିଅ ବାହାଘର ପାଇଁ ପାରୋଲ ପାଇଁ ନିବେଦନ କରିଥିଲେ। ସେ ତାଙ୍କ ଝିଅ ବାହାଘର ବନ୍ଦୋବସ୍ତ କରିବାକୁ ଛଅ ମାସ ପାରେୋଲ୍ ମାଗିଥିବା ବେଳେ କୋର୍ଟ ତାଙ୍କୁ ସେପ୍ଟେମ୍ବର ୧୫ ତାରିଖ ଯାଏଁ ପାରୋଲରେ ଛାଡିବାକୁ ଅନୁମତି ଦେଇଥିଲେ। ତେବେ ନଳିନୀଙ୍କୁ ପାରୋଲ୍‌ରେ ଯିବା ସହିତ କିଛି ସର୍ତ୍ତ ପୂରଣ କରିବାକୁ ପଡ଼ିବ। ଏହି ସମୟରେ ନଳିନୀ କୌଣସି ସାକ୍ଷାତ୍‌କାର ଦେଇପାରିବେ ନାହିଁ କିମ୍ବା କୌଣସି ରାଜନୈତିକ ବ୍ୟକ୍ତିଙ୍କୁ ଭେଟି ପାରିବେ ନାହିଁ ବୋଲି କୁହାଯାଇଥିଲା। ତାଙ୍କୁ ଗତ ୨୭ ବର୍ଷ ହେବ ଭେଲୋରର ଏକ ସ୍ୱତନ୍ତ୍ର କାରାଗାରରେ ରଖାଯାଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ନଳିନୀଙ୍କ ସହ ତାଙ୍କ ସ୍ୱାମୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇ କାରାଦଣ୍ଡ ଭୋଗୁଛନ୍ତି। ତାମିଲନାଡୁର ଶ୍ରୀପେରୁମ୍‌ପୁଦୁରଠାରେ ନିର୍ବାଚନ ରାଲିରେ ୧୯୯୧ ମସିହା ମେ ୨୧ ତାରିଖ ଦିନ ଆତ୍ମଘାତୀ ବୋମା ଆକ୍ରମଣକାରୀଙ୍କ ଦ୍ୱାରା ପୂର୍ବତନ ପ୍ରଧାମନ୍ତ୍ରୀ ରାଜୀବ ଗାନ୍ଧୀ ନିହତ ହୋଇଥିଲେ। ଏହି ମାମଲାରେ ନଳିନୀଙ୍କ ବ୍ୟତୀତ ତାଙ୍କ ସ୍ୱାମୀ ମୁରୁଗାନ୍‌, ଏଜି ପେରାରିବଲନ, ସନାତନ, ଜୟକୁମାର, ରବର୍ଟ ପାୟସ୍‌ ଏବଂ ରବିଚନ୍ଦ୍ରନ ଆଦି କାରାଦଣ୍ଡ ଭୋଗୁଛନ୍ତି।

ସମ୍ବନ୍ଧିତ ଖବର