ନୂଆଦିଲ୍ଲୀ: କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ବେଦବ୍ୟାସାଚାର ଶ୍ରୀଶାନନ୍ଦ କୋର୍ଟ ଅଧିବେଶନ ସମୟରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିବା ପରେ ଆଜି ସୁପ୍ରିମ୍କୋର୍ଟ ତାଙ୍କ ବିରୋଧରେ ଶୁଣାଣି ବନ୍ଦ କରିଦେଇଛନ୍ତି। ୫ ଜଣିଆ ଖଣ୍ଡପୀଠର ନେତୃତ୍ୱ ନେଉଥିବା ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ନ୍ୟାୟ ଓ ନ୍ୟାୟପାଳିକାର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ନିକଟରେ ଏକ ଅଦାଲତରେ ଜଷ୍ଟିସ୍ ଶ୍ରୀଶାନନ୍ଦ ଏକ ଜମିମାଲିକ-ଭଡ଼ାଟିଆ ବିବାଦର ଶୁଣାଣି କରିବା ବେଳେ ବେଙ୍ଗାଲୁରୁର ଏକ ମୁସଲମାନବହୁଳ ଅଞ୍ଚଳକୁ ‘ପାକିସ୍ତାନ’ ବୋଲି ଉଲ୍ଲେଖ କରିବା ସହ ଜଣେ ମହିଳା ଓକିଲଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିଲେ। ସୋସିଆଲ୍ ମିଡିଆରେ ତାଙ୍କ ମନ୍ତବ୍ୟ ଭାଇରାଲ ହେବା ପରେ କର୍ଣ୍ଣାଟକ ହାଇକୋର୍ଟଙ୍କଠାରୁ ସୁପ୍ରିମ୍କୋର୍ଟ ରିପୋର୍ଟ ମାଗିଥିଲେ, ଯାହା ତୁରନ୍ତ ଦାଖଲ କରାଯାଇଥିଲା। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି, ଭାରତର କୌଣସି ଅଞ୍ଚଳକୁ କେହି ପାକିସ୍ତାନ
କହିପାରିବେ ନାହିଁ। ଏହା ମୂଳତଃ ଦେଶର ଅଖଣ୍ଡତା ବିରୁଦ୍ଧରେ ଯାଉଥିବାରୁ କଦାପି ଗ୍ରହଣୀୟ ନୁହେଁ।
ଏହି ବିବାଦୀୟ ମନ୍ତବ୍ୟକୁ ନେଇ ସୁପ୍ରିମ୍କୋର୍ଟ ନିଜେ ଏହି ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟଙ୍କୁ ରିପୋର୍ଟ ମାଗିଥିଲେ। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏସ୍ ଖାନ୍ନା, ଜଷ୍ଟିସ୍ ବିଆର୍ ଗବାଇ, ଜଷ୍ଟିସ୍ ଏସ୍ କାନ୍ତ ଓ ଏଚ୍ ରାୟଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଗତ ସେପ୍ଟେମ୍ବର ୨୦ ତାରିଖରେ ବିଚାରପତିମାନଙ୍କ ମନ୍ତବ୍ୟ ସମ୍ପର୍କରେ ସ୍ପଷ୍ଟ ମାର୍ଗଦର୍ଶିକା ପ୍ରସ୍ତୁତ କରିବାର ଆବଶ୍ୟକତା ଅଛି ବୋଲି ପ୍ରକାଶ କରିଥିଲେ। ବିଚାରପତିମାନେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବା ମହିଳା ବିରୋଧୀ ମନ୍ତବ୍ୟ ଦେବାରୁ ବିରତ ରହିବା ଆବଶ୍ୟକ ବୋଲି କୋର୍ଟ ମତ ପ୍ରକାଶ କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ଯେତେବେଳେ ସୋସିଆଲ୍ ମିଡିଆ ଅଦାଲତ କାର୍ଯ୍ୟ ଉପରେ ଧ୍ୟାନ ଦେଇଥାଏ, ସେତେବେଳେ କୌଣସି ନ୍ୟାୟିକ ମନ୍ତବ୍ୟ ଅଦାଲତମାନଙ୍କଠାରୁ ଆଶା କରାଯାଉଥିବା ଶୃଙ୍ଖଳା ସହିତ ମେଳ ଖାଉଥିବା ଆବଶ୍ୟକ।