ନୁହ: ଜୁଲାଇ ୩୧ ରେ ହରିୟାଣାର ନୁହରେ ଘଟିଥିବା ହିଂସା କାଣ୍ଡ ପରେ ବି ପୁଣି ଥରେ ବ୍ରଜମଣ୍ଡଳ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ ଅଗଷ୍ଟ ୨୮ରେ ହେବାକୁ ଥିବା ଏହି ପ୍ରସ୍ତାବିତ ଶୋଭାଯାତ୍ରାକୁ ଅନୁମୋଦନ ମିଳିନାହିଁ। ତଥାପି କିଛି ଲୋକ ଶୋଭାଯାତ୍ରାକୁ ଅନୁମୋଦନ ମିଳିଛି ବୋଲି ଗୁଜବ ପ୍ରଚାର କରୁଛନ୍ତି। ବର୍ତ୍ତମାନ ନୁହରେ କର୍ଫ୍ୟୁ ଓ ୧୪୪ ଧାରା ଜାରି ରହିଛି। ଗୁଜବ ପ୍ରଚାର କରୁଥିବା ଏଭଳି ପୋଷ୍ଟକୁ ନେଇ ପୁଲିସ ମଧ୍ୟ ସତର୍କ ରହିଛି।
ନୁହରେ ପୁଣି ଥରେ ବ୍ରଜମଣ୍ଡଳ ଯାତ୍ରା କୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟରେ ବଜରଙ୍ଗ ଦଳ, ପଲୱାଲ ବୋଲି ଲେଖାରହିଛି । ବଜରଙ୍ଗ ଦଳ ହରିୟାଣା, ପଲୱାଲ ବ୍ୟାନରରେ ବ୍ରଜମଣ୍ଡଳ (ମେୱାତ) ଜଳଭିଷେକ ଯାତ୍ରା ଅଗଷ୍ଟ ୨୮ ତାରିଖ ସକାଳ ୧୦ଟାରେ ସିଙ୍ଗର ପୁହ୍ନାସ୍ଥିତ ନଲହଦ ନୁହରୁ ଶେଷ ହେବ ବୋଲି କୁହାଯାଉଛି । ଏହି ସମୟରେ ନଲହାଡରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବ ମନ୍ଦିରରେ ଜଳ ଅଭିଷେକ କରାଯିବ । ଏଥିରେ ଅନେକ ମନ୍ଦିର ବିଷୟରେ ଉଲ୍ଲେଖ ରହିଛି ଯେଉଁବାଟ ଦେଇ ଯାତ୍ରା ଯିବ ।
ଏଭଳି ପରିସ୍ଥିତିରେ ଯେଉଁମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମିଥ୍ୟା ଖବର ପ୍ରସାରଣ କରୁଛନ୍ତି, ଗୁଜବ ପ୍ରଚାର କରୁଛନ୍ତି, ଉତ୍ତେଜନାମୂଳକ ବୟାନ ଦେଇ ଧାର୍ମିକ ଭାବନାକୁ ଆଘାତ ଦେଉଛନ୍ତି, ଆଇନ ଶୃଙ୍ଖଳାକୁ ଚ୍ୟାଲେଞ୍ଜ କରୁଛନ୍ତି ଏବଂ ଶାନ୍ତି ଭଙ୍ଗ ସମ୍ବନ୍ଧୀୟ ଖବର, ପୋଷ୍ଟ କିମ୍ବା ବାର୍ତ୍ତା ପୋଷ୍ଟ ଏବଂ ଫରୱାର୍ଡ କରୁଛନ୍ତି ସେମାନଙ୍କ ଉପରେ ସାଇବର ପୁଲିସ ନଜର ରଖିଛି । ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି ।