୮୦% ଗ୍ରାମୀଣ ଭାରତୀୟଙ୍କ ପାଇଁ ପାଇପ୍‌ ପାଣି ସ୍ବପ୍ନ

ଉତ୍କଟ ଜଳ ସଙ୍କଟ ଭୋଗୁଛନ୍ତି, ୬୦ କୋଟି

ନୂଆଦିଲ୍ଲୀ: ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଭାରତର ବିଭିନ୍ନ ସହର ଗୁଡ଼ିକରେ ଉତ୍କଟ ଜଳ ସଙ୍କଟ ଦେଖାଦେଉଛି। ଏବେ ତାମିଲନାଡ଼ୁରେ ଯେଉଁ ସ୍ଥିତି ଲାଗି ରହିଛି ତାହା ହେଉଛି ଏକ ଜ୍ବଳନ୍ତ ଉଦାହରଣ। ୮୦ ପ୍ରତିଶତ ଗ୍ରାମୀଣ ଭାରତୀୟଙ୍କ ପାଇଁ ପାଇପ୍‌ ପାଣି ଏବେ ବି ଏକ ଦିବା ସ୍ବପ୍ନ ହୋଇ ରହିଛି । ସରକାରୀ ଯୋଜନା ବିଫଳ ହେଉଛି। ଭାରତରେ ୬୦ କୋଟି ଲୋକ ଏବେ ଉତ୍କଟ ଜଳ ସଙ୍କଟର ସାମ୍ନା କରୁଛନ୍ତି। ନିତି ଆୟୋଗର ୨୦୧୮ ମିଳିତ ଜଳ ପରିଚାଳନା ସୂଚୀ (ସିଡବ୍ଲ୍ୟୁଏମ୍‌ଆଇ) ରିପୋର୍ଟରୁ ଏହା ଜଣାପଡ଼ିଛି। ଭାରତରେ ୧୭.୯ ମିଲିଅନ୍‌ ଗ୍ରାମୀଣ ପରିବାରରେ କେବଳ ୧୮ ପ୍ରତିଶତଙ୍କ ନିକଟରେ ପାଇପ୍‌ ପାଣି ସୁବିଧା ପହଞ୍ଚି ପାରିଛି ବୋଲି ଏହି ରିପୋର୍ଟରୁ ଜଣାପଡ଼ିଛି।

ସମସ୍ତ ବିକଶିତ ଦେଶ ଗୁଡ଼ିକରେ ନାଗରିକମାନଙ୍କୁ ପାନୀୟ ଜଳ ଯୋଗାଣ ସୁବିଧା ଦିଆଯାଇଛି। ଉଚ୍ଚ ରୋଜଗାର ପ୍ରାପ୍ତ ଉପସାଗରୀୟ ଦେଶ ତଥା ବାହରେନ୍‌, ସାଉଦି ଆରବ, ୟୁଏଇରେ ମଧ୍ୟ ନାଗରିକମାନଙ୍କୁ ପାଇପ୍‌ ଜଳ ଯୋଗାଣ କରାଯାଇଛି। କିନ୍ତୁ ଭାରତରେ ଏବେ ବି ଅଧିକାଂଶ ଲୋକଙ୍କ ନିକଟରେ ପାଇପ୍‌ ପାଣି ପହଞ୍ଚି ନପାରିବା‌ ନିଶ୍ଚିତ ଭାବେ ଦୁଃଖଦାୟକ ହୋଇଛି। ଭାରତରେ କେବଳ ୬ଟି ରାଜ୍ୟରେ ଅର୍ଦ୍ଧାଧିକ ଗ୍ରାମୀଣ ପରିବାରରେ ପାଇପ୍‌ ପାଣି ପହଞ୍ଚି ପାରିଛି। ଆସାମ୍‌ ଏବଂ ବିହାରରେ କେବଳ ୨ ପ୍ରତିଶତ ଗ୍ରାମୀଣ ପରିବାରରେ ପାଇପ୍‌ ପାଣି ପହଞ୍ଚି ପାରିଛି। ଉଲ୍ଲେଖଯୋଗ୍ୟ ପ୍ରତି ଘରକୁ ପାଇପ୍‌ ପାଣି ଯୋଗାଇବା ଲକ୍ଷ୍ୟରେ ଗତ ୨୦୦୯ ଏପ୍ରିଲ ମାସ‌ରେ ସରକାର ଏନ୍‌ଆରଡିଡବ୍ଲ୍ୟୁପି ( ଜାତୀୟ ଗ୍ରାମୀଣ ପା‌ନୀୟ ଜଳ କାର୍ଯ୍ୟକ୍ରମ) ଆରମ୍ଭ କରିଥିଲେ। କିନ୍ତୁ ଏହି ଯୋଜନା ଫଳପ୍ରଦ ହୋଇନି। ଏନ୍‌ଆରଡିଡବ୍ଲ୍ୟୁପି ଉପରେ ପ୍ରକାଶ ପାଇଥିବା ଏକ ସିଏଜି ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୧୭ ସୁଦ୍ଧା ୩୫ ପ୍ରତିଶତ ଗ୍ରାମୀଣ ପରିବାରରେ ପାଇପ୍‌ ଜଳ ପହଞ୍ଚାଇବା ଲକ୍ଷ୍ୟ ଥିଲା କିନ୍ତୁ ଏହି ଲକ୍ଷ୍ୟ ସାଧନ ହୋଇନି। ୨୦୧୮-୧୯ ଶେଷ ସୁଦ୍ଧା କେବଳ ୧୮.୩ ପ୍ରତିଶତ ଗ୍ରାମୀଣ ପରିବାରରେ ପାଇପ୍‌ ପାଣି ପହଞ୍ଚି ପାରିଛି। ୨୦୧୪-୧୫ରେ ଭାରତର ୧୭.୮ ‌କୋଟି ଗ୍ରାମୀଣ ପରିବାରରୁ କେବଳ ୧୩.୩ ପ୍ରତିଶତଙ୍କ ନିକଟରେ ପାଇପ୍‌ ପାଣି ପହଞ୍ଚି ପାରିଥିଲା। ତେବେ ଗତ ୫ ବର୍ଷ ମଧ୍ୟରେ ଏହି ମାତ୍ରା କେବଳ ୫ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ପ୍ରତିବର୍ଷ ଗ୍ରାମୀଣ ପରିବାର ଗୁଡ଼ିକୁ ଦିଆଯାଉଥିବା ନୂଆ ପାଇପ୍‌ ସଂଯୋଗ ମାତ୍ରା ମଧ୍ୟ କମିଛି। ୨୦୧୪-୧୫ରେ ୧୭ ଲକ୍ଷରୁ ଅଧିକ ନୂ୍ଆ ପାଇପ୍‌ ସଂଯୋଗ କରାଯାଇଥିବାବେଳେ ଏହା ୨୦୧୭-୧୮ରେ ୬.୩ ଲକ୍ଷକୁ କମି ଯାଇଥାଇଥିଲା। ତେବେ ୨୦୧୮-୧୯ରେ ଏହା ସାମାନ୍ୟ ବଢ଼ି ୯.୭ ଲକ୍ଷ ରହିଛି। ସିଏଜି ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୧୨ରୁ ୨୦୧୭ ମଧ୍ୟରେ ଏହି ଯୋଜନା ପାଇଁ ୮୧,୧୬୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି କିନ୍ତୁ ଯେଉଁ ଟାର୍ଗେଟ୍‌ ଧାର୍ଯ୍ୟ ହୋଇଥିଲା ତା’ର ଅଧା ମଧ୍ୟ ପୂରଣ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଦେଶ ସ୍ବାଧୀନ ହେବା ପରଠାରୁ ଗ୍ରାମୀଣ ଭାରତୀୟଙ୍କୁ ପାନୀୟ ଜଳ ଯୋଗାଇ ଦେବାପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ‌ଯୋଜନା ଅଧୀନରେ ୨.୪ ଲକ୍ଷ କୋଟି ବିନିଯୋଗ ହୋଇଛି କିନ୍ତୁ ଏହାସତ୍ତ୍ବେ ୮୦ ପ୍ରତିଶତରୁ ଅଧିକ ଗ୍ରାମୀଣ ପରିବାର ଗୁଡ଼ିକରେ ଏବେ ବି ପାଇପ୍‌ ପାଣି ପହଞ୍ଚିପାରିନି। ଓଡ଼ିଶା, ଆସାମ, ବିହାର ଏବଂ ଉତ୍ତରପ୍ରଦେଶରେ ୫ ପ୍ରତିଶତରୁ କମ୍‌ ଗ୍ରାମୀଣ ଜନସଂଖ୍ୟାଙ୍କୁ ପାଇପ୍‌ ଜଳ ଯୋଗାଣ ଉପଲବ୍ଧ ‌ହୋଇପାରିଛି।

ସମ୍ବନ୍ଧିତ ଖବର