କାନପୁରରେ ଏହି ପ୍ରଜାତିର କୁକୁର ରଖିପାରିବେନି ଲୋକେ

କାନପୁର : ଉତ୍ତରପ୍ରଦେଶର କାନପୁରରେ ପିଟବୁଲ ଓ ରୋଟଓ୍ବେଲର ପ୍ରଜାତିର କୁକୁର ପା​ଳିବା ନିଷିଦ୍ଧ କରିଛି ନଗର ନିଗମ । ଏହି ପ୍ରଜାତିର କୁକୁର ଅଧିକ ହିଂସ୍ର ହୋଇ ମଣିଷ ଓ ଗୃହପାଳିତ ପଶୁମାନଙ୍କୁ ଆକ୍ରମଣ କରୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।

କାନପୁରର ଏପରି କୁକୁର କାମୁଡ଼ିବା ଘଟଣା ବଢିଚାଲିଛି । ନିକଟରେ ସହରର ସରସୈୟା ଘାଟରେ ଏକ ପିଟବୁଲ କୁକୁର ଏକ ଗାଈକୁ କାମୁ଼ଡ଼ି ଗୁରୁତରଭାବେ ଆହତ କରିଦେଇଥିଲା । ଏପରିକି କୁକୁରଟି ଏତେ ହିଂସ୍ର ହୋଇଯାଇଥିଲା ଯେ ନିଜ ମୁନୀବର କଥା ମାନିନଥିଲା । ପରେ ସ୍ଥାନୀୟ ଲୋକମାନେ ଉକ୍ତ କୁକୁରକୁ ଏକ ବାଡ଼ି ସାହାଯ୍ୟରେ ପିଟିବା ପରେ ସେ ଛାଡ଼ିଦେଇଥିଲା ।

ସବୁଠାରୁ ଭୟଙ୍କର ଘଟଣା ଘଟିଥିଲା ଉତ୍ତରପ୍ରଦେଶରେ ରାଜଧାନୀ ଲକ୍ଷ୍ନୌରେ । ସହରରେ ଏକ ପିଟବୁଲ୍ କୁକୁର ଜଣେ ବୃଦ୍ଧାଙ୍କୁ କାମୁଡ଼ି ମାରିଦେଇଥିଲା । କୁକୁରଟିକୁ ବୃଦ୍ଧାଙ୍କ ପୁଅ ପାଳିଥିଲେ । ଏହା ପରେ ପ୍ରଶାସନ କୁକୁରଟିକୁ ନେଇଯାଇଥିଲା, କିଛି ଦିନ ପରେ ଫେରାଇ ଦେଇଥିଲେ । ଏବେ ଲକ୍ଷ୍ନୌରେ ଏପରି କୁକୁର ରଖିବାକୁ ହେଲେ ଲାଇସେନ୍ସ କରିବାକୁ ପଡିବ ।

ଆଉ ଏକ ଘଟଣା ଘଟିଥିଲା ଉତ୍ତରପ୍ରଦେଶର ଗାଜିଆବାଦରେ । ଏକ ପିଟବୁଲ କୁକୁର ଜଣେ ବାଳକକୁ ଆକ୍ରମଣ କରି ଗୁରୁତର ଆହତ କରିଦେଇଥିଲା । ଉକ୍ତ ବାଳକ ଶରୀରରେ ୧୫୦ଟି ଷ୍ଟିଚ୍ ପକାଇବାକୁ ପଡ଼ିଥିଲା ।

ତଥ୍ୟ ଅନୁସାରେ, ଆମେରିକାରେ ୨୦୧୯ରେ ଆମେରିକାରେ ଯେତେ ସଂଖ୍ୟକ କୁକୁର କାମୁଡ଼ିବା ଘଟଣା ଘଟିଥିଲା, ତା ମଧ୍ୟରୁ ୬୯ ପ୍ରତିଶତ ଘଟଣା ସହ ପିଟବୁଲ କୁକୁର ସଂପୃକ୍ତ ଥିଲେ ।

 

ସମ୍ବନ୍ଧିତ ଖବର