୧୨,୦୦୦ ଟଙ୍କାରୁ ଶସ୍ତା ଚୀନା ମୋବାଇଲ୍‌ ଫୋନ୍‌ ନିଷେଧ କରିବାର ଯୋଜନା ନାହିଁ: ମନ୍ତ୍ରୀ

ନୂଆଦିଲ୍ଲୀ: ଚୀନା କମ୍ପାନି ନିର୍ମିତ ୧୨,୦୦୦ ଟଙ୍କାରୁ ଶସ୍ତା ହ୍ୟାଣ୍ଡ୍‌ସେଟ୍‌ଗୁଡ଼ିକ ଉପରେ ନିଷେଧାଦେଶ ଜାରି ହେବାର ପ୍ରସ୍ତବା ନ ଥିବାରୁ ଭାରତରୁ ସେ ସବୁର ରପ୍ତାନି ବୃଦ୍ଧି କରିବା ଲାଗି ଭାରତ ସରକାର ଚୀନା କମ୍ପାନିମାନଙ୍କୁ କହିଥିବା କଥା ସୋମବାର ଦିନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି।

ଇଲେକ୍ଟ୍ରୋନିକ୍‌ ଓ ଆଇ.ଟି. ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର କହିଛନ୍ତି ଯେ, ଦେଶର ‘ଇଲେକ୍ଟ୍ରୋନିକ୍‌ ଇକୋସିଷ୍ଟମ୍‌’ରେ ଭାରତୀୟ କମ୍ପାନିମାନଙ୍କର ବି ଭୂମିକା ରହିଛି। କିନ୍ତୁ, ତାହାର ଅର୍ଥ ନୁହେଁ ଯେ, ବିଦେଶୀ ବ୍ରାଣ୍ଡ୍‌ ସବୁକୁ ବାଦ ଦେଇଦେବା।

Image Courtesy of India TV

କଥାକୁ ସ୍ପଷ୍ଟ କରିବାକୁ ଯାଇ ସେ କହିଛନ୍ତି, ମାତ୍ର ଆ‌ମେ ଉଠାଇ ଥିବା ଓ କେତେକ ଚୀନା କମ୍ପାନିଙ୍କ ନିକଟରେ ସ୍ପଷ୍ଟ କରିଥିବା ପ୍ରସଙ୍ଗ ହେଲା, ସେମାନେ ଅଧିକ ହ୍ୟାଣ୍ଡ୍‌ସେଟ୍‌ ରପ୍ତାନି କରନ୍ତୁ। ସେମାନଙ୍କର ଯୋଗାଣ ଶୃଙ୍ଖଳ, ବିଶେଷତଃ ଉପକରଣ ଯୋଗାଣ ଶୃଙ୍ଖଳ ଅଧିକ ସ୍ବସ୍ଥ ଏବଂ ତା’ ଠାରୁ ଯଥେଷ୍ଟ ଅଧିକ ଉନ୍ମୁକ୍ତ ହେବା ଆବଶ୍ୟକ। ଏହାଛଡ଼ା, ଚୀନା କମ୍ପାନି ନିର୍ମିତ ୧୨,୦୦୦ ଟଙ୍କାରୁ କମ୍‌ ମୂଲ୍ୟର ହ୍ୟାଣ୍ଡ୍‌ସେଟ୍‌ ଉପରେ ସରକାର ନିଷେଧାଜ୍ଞା ଜାରି କରିବାର କୌଣସି ପ୍ରସ୍ତାବ ନାହିଁ। ଏଭଳି ପ୍ରସ୍ତାବ ଅଛି ବୋଲି କିଏ ପ୍ରଘଟ କଲା ମୁଁ ଜ‌ାଣେନାହିଁ।

ସୂଚନାଯୋଗ୍ୟ, ୧୨,୦୦୦ ଟଙ୍କାରୁ କମ୍‌ ମୂଲ୍ୟର ମୋବାଇଲ୍‌ ଫୋନ୍‌ ନିର୍ମାଣ କରିବା ଲାଗି ସରକାର ଚୀନା କମ୍ପାନିଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବେ ବୋଲି ପ୍ରକାଶିତ ରିପୋର୍ଟ ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବା ବେଳେ ସେ ଉପରୋକ୍ତ କଥା କହିଛନ୍ତି।

ସମ୍ବନ୍ଧିତ ଖବର