ଅତିରିକ୍ତ ୩୬ଟି ରାଫେଲ କିଣିବାର କୌଣସି ଯୋଜନା ନାହିଁ : ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ : ଭାରତ ଆଜି ପ୍ରଥମ ରାଫେଲ ବିମାନ ପାଇଛି । ଆସନ୍ତା ୨୦୨୨ ସୁଦ୍ଧା ସମସ୍ତ ୩୬ଟି ରାଫେଲ ବିମାନ ଭାରତୀୟ ବାୟୁସେନା ହାତକୁ ଆସିଯାଇଥିବ । ତେବେ ଏହି ୩୬ଟି ବାଦ ଆଉ ୩୬ଟି ରାଫେଲ କିଣିବାକୁ ଭାରତ ଯୋଜନା କରୁଥିବା ନେଇ ଗତି କିଛି ସପ୍ତାହହେଲା ଚର୍ଚ୍ଚା ହେଉଛି । କିନ୍ତୁ ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ବାୟୁସେନା ମୁଖ୍ୟ ଆର.କେ.ଏସ ଭାଦୋରିଆ । ସେ କହିଛନ୍ତି ଆଉ ୩୬ଟି ରାଫେଲ କିଣିବା ନେଇ କୌଣସି ଯୋଜନା ନାହିଁ । ବାୟୁସେନା ପାଇଁ ଅଧିକ ସଂଖ୍ୟକ ସୁଖୋଇ ୩୦ ଓ ମିଗ-୨୯ କିଣାଯିବ ବୋଲି ସେ ସଂକେତ ଦେଇଛନ୍ତି ।
ଗତ ଅଗଷ୍ଟ ମାସରେ ଫ୍ରାନ୍ସ ଭାରତକୁ ଆଉ ୨ ସ୍କ୍ଵାର୍ଡନ ବା ୩୬ଟି ରାଫେଲ ବିମାନ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲା । ଏହି ୩୬ଟି ରାଫେଲ ବିମାନଗୁଡ଼ିକ ଅପେକ୍ଷାକୃତ ରିହାତି ଦରରେ ପ୍ରଦାନ କରିବାକୁ ଫ୍ରାନ୍ସ ଅଫର ଦେଇଥିଲା । ପୂର୍ବ ରାଫେଲ ଡିଲର ମୂଲ୍ୟ ୭.୮୭ ବିଲିୟନ ୟୁରୋ ରହିଥିଲା । ଏସବୁ ବିମାନରେ ଭାରତୀୟ ପରିବେଶ ଓ ରଣନୈତିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ସମାନ ବୈଶିଷ୍ଟ୍ୟ ଥିବା ଆଉ ୩୬ଟି ରାଫେଲ ବିମାନ ମାତ୍ର ୬ ବିଲିୟନ ୟୁରୋ ବିନିମୟରେ ପ୍ରଦାନ କରିବାକୁ ଫ୍ରାନ୍ସ ରାଜି ହୋଇଥିଲା । ଭରତ ମଧ୍ୟ ଏହା କିଣିବାକୁ ଆଗ୍ରହୀ ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । କିନ୍ତୁ ଏହାକୁ ଅସ୍ୱୀକାର କରିଛନ୍ତି ବାୟୁସେନା ମୁଖ୍ୟ ।

ସମ୍ବନ୍ଧିତ ଖବର