କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା ବଢାଯିବ ନାହିଁ : ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା ବଢାଇବାର କୌଣସି ଯୋଜନା ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି । କେନ୍ଦ୍ର କାର୍ମିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ବୟସ ୬୨କୁ ବୃଦ୍ଧି କରିବାର କୌଣସି ପ୍ରସ୍ତାବ ନାହିଁ । ଏବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ବୟସ ୬୦ ବର୍ଷ ଅଛି । ଦେଶରେ ମୋଟ ୪୮.୪୧ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଅଛନ୍ତି । ଚଳିତ ମାସ ପ୍ରାରମ୍ଭରେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ପିପି ଚୌଧୁରୀ  କହିଥିଲେ ଯେ ହାଇକୋର୍ଟ ଜଜ୍‌ ମାନଙ୍କ ଅବସର ବୟସକୁ ବର୍ତ୍ତମାନର ୬୨ରୁ  ୬୫କୁ ବୃଦ୍ଧି କରିବାର କୌଣସି ପ୍ରସ୍ତାବ ନାହିଁ । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏକଥା କହିଥିଲେ । ୟୁପିଏ ସରକାରଙ୍କ ଅମଳରେ ହାଇକୋର୍ଟ ଜଜ ମାନଙ୍କ ବୟସକୁ ୬୫କୁ ବୃଦ୍ଧି କରିବାକୁ ଏକ ବିଲ୍‌ ଆସିଥିଲା । କିନ୍ତୁ  ୨୦୧୪ରେ ୧୫ଶ ଲୋକସଭା ଭାଙ୍ଗିବା ପରେ ଏହି ବିଲ୍‌ଟି ଅକାମୀ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର