ସୈନ୍ୟ ପଠାଇବା ପାଇଁ କୌଣସି ଯୋଜନା ନାହିଁ: ନାଟୋ ମୁଖ୍ୟ

ସହଯୋଗୀ ମେଣ୍ଟ ପାଇଁ ପ୍ରତିରକ୍ଷା ଯୋଜନା କାର୍ଯ୍ୟକ୍ଷମ କଲା ନାଟୋ

ବ୍ରସେଲ୍ସ : ରୁଷ୍‌ ଅଣ-ନାଟୋ ରାଷ୍ଟ୍ର ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ନାଟୋ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କ ପାଇଁ ‘ପ୍ରତିରକ୍ଷା ଯୋଜନା’କୁ କାର୍ଯ୍ୟକ୍ଷମ କରିଛି। ନାଟୋ ମୁଖ୍ୟ ଜେନ୍ସ ‌ଷ୍ଟୋଲେନବର୍ଗ ଆଜି ଏହା କହିଛନ୍ତି। ନାଟୋ ଆସନ୍ତାକାଲି ଏକ ଭର୍ଚୁଆଲ ସମ୍ମିଳନୀ କରିବ। ରୁଷ୍‌ ତୁରନ୍ତ ଏହାର ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ସହ ୟୁକ୍ରେନରୁ ସୈନ୍ୟ ପ୍ରତ୍ୟାହାର କରି କୂଟନୈତିକ ଉପାୟ ବାଛିବା ଉଚିତ୍‌ ବୋଲି ନାଟୋ ମୁଖ୍ୟ କହିଛନ୍ତି। ତେବେ ୟୁକ୍ରେନ୍‌କୁ ସୈନ୍ୟ ପଠାଇବାପାଇଁ ନାଟୋର କୌଣସି ଯୋଜନା ନାହିଁ ବୋଲି ସେ କହିଛନ୍ତି। ପ୍ରଥମ ଥର ପାଇଁ ନାଟୋ ଏହାର ପ୍ରତିରକ୍ଷା ଯୋଜନା କାର୍ଯ୍ୟକ୍ଷମ କରୁଥିବା କଥା ସାର୍ବଜନୀନ କରିଛି। ଏହି ଯୋଜନାରେ ନାଟୋର ଆରଆରଏଫ୍‌ (ରୢାପିଡ ରିଆକ୍ସନ୍‌ ଫୋର୍ସ‌୍)ର ୪୦ ହଜାର ସୈନିକ ରହିବେ। ଅତି ଉଚ୍ଚ ତାଲିମ ନେଇଥିବା ପ୍ରାୟ ୭ ହଜାର‌ ସୈନିକ ମଧ୍ୟ ଏଥିରେ ସାମିଲ ହେବେ। ନାଟୋ ମୁଖ୍ୟ କହିଛନ୍ତି, ଏହି ଆକ୍ରମଣ ଦ୍ବାରା ରୁଷ୍‌ ସହ ପାଶ୍ଚାତ୍ୟ ରାଷ୍ଟ୍ରର ସମ୍ପର୍କ ଉପରେ ଦୀର୍ଘ ଦିନ ଧରି ପ୍ରଭାବ ରାହିବ। ନା‌ଟୋର ୧୦୦ରୁ ଅଧିକ ଯୁଦ୍ଧ ବିମାନ ଆଲର୍ଟରେ ରହିଛି ବୋଲି ନା‌ଟୋ ମହାନିର୍ଦ୍ଦେଶକ କହିଛନ୍ତି।

ସମ୍ବନ୍ଧିତ ଖବର