କରୋନା ପୀଡ଼ିତଙ୍କ ଘର ସାମ୍ନାରେ ଲାଗିବ ନାହିଁ କ୍ଵାରେଣ୍ଟିନ ପୋଷ୍ଟର, ଜାଣନ୍ତୁ କେଉଁ ରାଜ୍ୟରେ ଲାଗୁ ହେଲା ଏହି ନିୟମ

ଚଣ୍ଡୀଗଡ଼: ପଞ୍ଜାବରେ ହୋମ କ୍ଵାରେଣ୍ଟିନରେ ରହୁଥିବା କୋଭିଡ ରୋଗୀଙ୍କ ଘର ବାହାରେ ଆଉ କ୍ଵାରେଣ୍ଟିନ ପୋଷ୍ଟର ଲଗାଯିବ ନାହିଁ | ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶୁକ୍ରବାର ଦିନ ରୋଗୀଙ୍କଠାରୁ ଭେଦଭାବ ଖବର ପାଇବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଯେଉଁଠାରେ ଏହି ପୋଷ୍ଟରଗୁଡ଼ିକ ଲଗାଯାଇଛି, ସେଗୁଡ଼ିକୁ ମଧ୍ୟ ହଟାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ରୋଗୀଙ୍କ ଘରର କବାଟରେ ଲଗାଯାଇଥିବା ପୋଷ୍ଟରରୁ ଉତ୍ପନ୍ନ ଭେଦଭାବକୁ ଦୂର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି |

ସେହିପରି କରୋନା ଲକ୍ଷଣ ଥିଲେ ଶୀଘ୍ର ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ପୁଣି ଥରେ ଲୋକଙ୍କୁ ନିବେଦନ କରିଛନ୍ତି, ଯାହା ଦ୍ୱାରା ଏହି ରୋଗ ପୂର୍ବରୁ ଚିହ୍ନଟ ହୋଇ ସଠିକ୍ ଚିକିତ୍ସା ହୋଇପାରିବ। ମିଳିଥିବା ସୂଚନା ମୁତାବକ ଏହି ପୋଷ୍ଟରଗୁଡିକ ଲଗାଯିବାର ଉଦ୍ଦେଶ୍ୟ ଅନ୍ୟମାନଙ୍କୁ ସଚେତନ କରିବା ଥିଲା, କିନ୍ତୁ ଏଭଳି ପୋଷ୍ଟର ଲଗାଯିବା ଦ୍ୱାରା ହେତୁ ଲୋକମାନେ ନିଜ ସମସ୍ୟା ବାବଦରେ କହିବାକୁ ସାମ୍ନାକୁ ଆସୁନାହାଁନ୍ତି |

ଅନ୍ୟପଟେ ଯାହା ଘର ସାମ୍ନାରେ ପୋଷ୍ଟର ଲାଗିଛି ସେମାନଙ୍କୁ ଲୋକମାନେ ଅଲଗା ଦୃଷ୍ଟିରେ ଦେଖୁଥିବାର ରାଜ୍ୟ ସରକାର ଅନୁଭବ କରିଛନ୍ତି | ତେଣୁ ପୋଷ୍ଟର ଗୁଡିକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି | କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ ଏହି ପୋଷ୍ଟରଗୁଡିକ ସାମାଜିକ ବିଚ୍ଛିନ୍ନତା ଏବଂ ଭେଦଭାବ ସୃଷ୍ଟି କରିବ। ସେ କହିଛନ୍ତି ଯେ ଲୋକମାନେ ସେମାନଙ୍କ ପ୍ରତି ଭେଦଭାବ କରିବା ପରିବର୍ତ୍ତେ ସାହସ ଦେବା ଉଚିତ୍।

ସମ୍ବନ୍ଧିତ ଖବର