ଦୁନିଆର କୌଣସି ଶକ୍ତି ଭାରତର ଏକ ଇଞ୍ଚ ମଧ୍ୟ ନେଇପାରିବ ନାହିଁ: ରାଜନାଥ ସିଂହ

ନୂଆଦିଲ୍ଲୀ: ଚୀନ୍ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ‌ସେ ଅଞ୍ଚଳର ସାମଗ୍ରିକ ନିରାପତ୍ତା ସ୍ଥିତି ସମୀକ୍ଷା କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ସକାଳେ ଲେହରେ ପହଞ୍ଚିଛନ୍ତି। ଚିଫ୍ ଅଫ୍ ଡିଫେନ୍‌ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱାତ୍ ଏବଂ ସେନା ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରୱଣେ ମଧ୍ୟ ସିଂହଙ୍କ ସହ ଗସ୍ତରେ ଅଛନ୍ତି। ଲଦାଖରେ ଅବତରଣ କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ସ୍ତାକ୍‌ନା ଫର୍‌ୱାର୍ଡ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ସୈନିକମାନେ ତାଙ୍କୁ ସଶସ୍ତ୍ରବାହିନୀର ପାରାଡ୍ରପିଙ୍ଗ୍ ଦକ୍ଷତା ଦେଖାଇ‌ଥିଲେ।

ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟ ଲୁକଙ୍ଗ ପୋଷ୍ଟରେ ଭାରତୀୟ ସେନା ଏବଂ ଆଇଟିବିପି କର୍ମଚାରୀଙ୍କ ସହ କଥାବାର୍ତ୍ତା ବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ବିଶ୍ୱର କୌଣସି ଶକ୍ତି ଭାରତର ଏକ ଇଞ୍ଚ ମଧ୍ୟ ନେଇପାରିବ ନାହିଁ। ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଛି। କଥାବାର୍ତ୍ତା ମାଧ୍ୟମରେ ଚୀନ୍ ସହ ବିବାଦର ସମାଧାନ ପାଇଁ ଭାରତ ଆଶା ରଖିଥିବାବେଳେ ଚୂଡ଼ାନ୍ତ ଫଳାଫଳର କଣ ହେବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ସିଂ କହିଛନ୍ତି।

hindustantimes

ଭାରତୀୟ ସେନା କର୍ମଚାରୀଙ୍କୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି, “କେତେ ପରିମାଣରେ ବିବାଦର ସମାଧାନ ହୋଇପାରିବ ମୁଁ ଗ୍ୟାରେଣ୍ଟି ଦେଇ ପାରିବି ନାହିଁ, କିନ୍ତୁ ମୁଁ ଆପଣଙ୍କୁ ନିଶ୍ଚିତ କରିପାରେ ଯେ, ପୃଥିବୀର କୌଣସି ଶକ୍ତି ଭାରତର ଏକ ଇଞ୍ଚ ମଧ୍ୟ ନେଇପାରିବ ନାହିଁ। ପ୍ରତିରକ୍ଷା ମନ୍ତ୍ରୀଙ୍କ ଏଭଳି କଥା ଭାରତୀୟ ସେନା ଏବଂ ଆଇଟିବିପି କର୍ମଚାରୀଙ୍କ ମନୋବଳ ବଢ଼ାଇଛି।

ଏହା ହେଉଛି ପ୍ରତିରକ୍ଷା ମନ୍ତ୍ରୀଙ୍କର ଦୁଇ ଦିନିଆ ଲଦାଖ ଏବଂ ଜମ୍ମୁ ଓ କଶ୍ମୀର ଗସ୍ତ। ଆଜି ଦିନକ ସେ ଲଦାଖ ଗସ୍ତରେ ରହିବେ। ଆସନ୍ତାକାଲି ସେ ଜମ୍ମୁ ଓ କଶ୍ମୀର ଗସ୍ତରେ ଯିବେ। ସ୍ପର୍ଶକାତର ସେକ୍ଟର୍‌ରେ ଭାରତ ଓ ଚୀନ୍ ସୈନିକମାନଙ୍କ ମଧ୍ୟରେ ସାମରିକ ଉତ୍ତେଜନା ଚାଲିଥିବା ବେଳେ ସିଂହ ଲେହରେ ପହଞ୍ଚିଛନ୍ତି। ପୂର୍ବ ଲଦାଖରୁ ସୈନ୍ୟ ଅପସାରଣ ନିମନ୍ତେ ଭାରତ ଓ ଚୀନ୍ ନିକଟରେ ଚାରି ଥର ଆଲୋଚନା କରି ସାରିଛନ୍ତି।

ସମ୍ବନ୍ଧିତ ଖବର