ଯାତ୍ରୀ ଟ୍ରେନ୍‌ର ଘରୋଇକରଣ ପ୍ରସ୍ତାବ ନାହିଁ: ମନ୍ତ୍ରୀ

ନୂଆଦିଲ୍ଲୀ : ଘରୋଇ ସଂସ୍ଥା ଜରିଆରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବାର କୌଣସି ପ୍ରସ୍ତାବ ଉପରେ ବିଚାର କରାଯାଉନାହିଁ। ରେଳବାଇ ପକ୍ଷରୁ ଆଜି ସଂସଦରେ ଏହି ସୂଚନା ଦିଆଯାଇଛି। କେତେକ ସ୍ବତନ୍ତ୍ର ରୁଟ୍‌ରେ କିଛି ଟ୍ରେନ୍‌କୁ ଘରୋଇ ସଂସ୍ଥା ଜରିଆରେ ଚଲାଇବା ଲାଗି ରେଳବାଇ ଏକ ଯୋଜନା ପ୍ରସ୍ତୁତ କରିଥିଲା ଯାହାକୁ କିଛି ବର୍ଷ ପୂର୍ବେ ଉନ୍ମୋଚନ କରାଯାଇଥିଲା। ତେବେ ଏହି ପ୍ରସଙ୍ଗ ଏବେ ବିଚାରାଧୀନ ନାହିଁ ବୋଲି ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଲିଖିତ ଉତ୍ତରରେ ଜଣାଇଛନ୍ତି।

ମନ୍ତ୍ରୀ ଶ୍ରୀ ବୈଷ୍ଣବ ଲୋକସଭାକୁ ଜଣାଇଛନ୍ତି ଯେ ଦିଲ୍ଲୀ-ଲକ୍ଷ୍ନୌ ଓ ମୁମ୍ବାଇ-ଅହମ୍ମଦାବାଦ ରୁଟ୍‌ରେ ଆଇଆରସିଟିସି ଦୁଇଟି ତେଜସ୍‌ କର୍ପୋରେଟ୍ ଟ୍ରେନ୍ ଚଲାଉଛି। ଉଭୟ ଟ୍ରେନ୍‌ ୫୮ କୋଟି ଟଙ୍କାର କ୍ଷତି ସହିଛନ୍ତି। ୨୦୧୯-୨୦ରେ ଦିଲ୍ଲୀ-ଲକ୍ଷ୍ନୌ ରୁଟ୍‌ରେ ଚାଲୁଥିବା ତେଜସ୍‌ ଟ୍ରେନ୍ ଲାଭ କରିଥିଲା। ଏହାର ପରବର୍ତ୍ତୀ ଦୁଇବର୍ଷ କିନ୍ତୁ କ୍ଷତି ସହିଛି। ରେଳବାଇ ପର୍ଯ୍ୟାୟକ୍ରମେ ଘରୋଇ ଟ୍ରେନ୍ ସଂଖ୍ୟା ବଢ଼ାଇବାକୁ ଯୋଜନା ରଖିଛି। ପ୍ରଥମ ୧୨ଟି ଘରୋଇ ଟ୍ରେନ୍‌ର ଚଳାଚଳ ୨୦୨୩-୨୪ରେ ଆରମ୍ଭ ହେବ। ୨୦୨୭ ସୁଦ୍ଧ‌ା ଏଭଳି ଟ୍ରେନ୍ ସଂଖ୍ୟା ୧୫୧କୁ ବୃଦ୍ଧି ପାଇବ। ଘରୋଇ ଟ୍ରେନ୍‌ ଚଲାଇବା ଲାଗି କେବଳ ଆଇଆର୍‌ସିଟିସି ଓ ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନଫ୍ରାଷ୍ଟ୍ରକ୍‌ଚର ଆଗ୍ରହ ଦେଖାଇଛନ୍ତି। ଅନ୍ୟ କୌଣସି ସଂସ୍ଥା ଆଗ୍ରହ ଦେଖାଇନଥିବାରୁ ଏହି ଯୋଜନା ଏବେ ଶୀଳତଭଣ୍ଡାରରେ ରହିଛି।

ସମ୍ବନ୍ଧିତ ଖବର