ସିଦ୍ଧୁଙ୍କୁ ନେଇ ମୋର କୌଣସି ସମସ୍ୟା ନାହିଁ: ଚନ୍ନି

ନୂଆଦିଲ୍ଲୀ: ଆଗକୁ ପଂଜାବ ବିଧାନସଭା ନିର୍ବାଚନ ଥିବାବେଳେ ପଂଜାବରେ ରାଜନୈତିକ ତାତି ଜାରି ରହିଛି। ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପରେ ଏବେ ପୁଣି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସହ ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କର ନୂଆ ବିବାଦ ଆରମ୍ଭ ହୋଇଛି । ସିଦ୍ଧୁ ଖୋଲାଖୋଲି ଭାବେ ଚନ୍ନିଙ୍କୁ ସମାଲୋଚନା କରୁଛନ୍ତି। କିନ୍ତୁ ଚରଣଜିତ ସିଂହ ଚନ୍ନି ଆଜି ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ, ସିଦ୍ଧୁଙ୍କ ସହ ତାଙ୍କର କୌଣସି ବିବାଦ ନାହିଁ କି ସିଦ୍ଧୁଙ୍କୁ ନେଇ ତାଙ୍କର କୌଣସି ସମସ୍ୟା ନାହିଁ।

ଚନ୍ନି କହିଛନ୍ତି, ସିଦ୍ଧୁ ହେଉଛନ୍ତି ପଂଜାବ କଂଗ୍ରେସ ମୁଖ୍ୟ। ‌ସେ ଯାହା ବି କହିଲେ ଏଥିରେ କିଛି କ୍ଷତି ନାହିଁ। ତାଙ୍କ କଥା ଶୁଣି ମୁଁ କିଛି ଭାବୁନାହିଁ। ମୋ ସହ କଥା ହେବା ପୂର୍ବରୁ ସେ ଗଣମାଧ୍ୟମରେ କିଛି ବିବୃତି ରଖିଲେ ବି ମୋର ଏଥିରେ କିଛି ଆପତ୍ତି ନାହିଁ ବୋଲି ଚନ୍ନି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚନ୍ନିଙ୍କ ନେତୃତ୍ବାଧୀନ ସରକାର ଦ୍ବାରା ନିକଟରେ ପଂଜାବ ସରକାରରେ ଯେଉଁ ନିଯୁକ୍ତି କରାଯାଇଥିଲା ତାକୁ ସିଦ୍ଧୁ ବିରୋଧ କରିଥିଲେ। ନିକଟରେ ସିଦ୍ଧୁ ପଂଜାବରେ ତାଙ୍କ ଦଳକୁ କଟାକ୍ଷ କରି ସୋସିଆଲ ମିଡିଆରେ ଅନେକ ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର