ନୂଆଦିଲ୍ଲୀ: ୨୦୦୧ ସେପ୍ଟେମ୍ବର ୧୧ ତାରିଖଦିନ ଯୁକ୍ତରାଷ୍ଟ୍ର ଆମେରିକା ଉପରେ କରାଯାଇଥିବା ଆକ୍ରମଣର ‘ମାଷ୍ଟର୍ମାଇଣ୍ଡ୍’ କୁହାଯାଉଥିବା ଓସାମା ବିନ୍ ଲାଡେନ୍ ଉକ୍ତ ଆକ୍ରମଣରେ ଜଡ଼ିତ ନ ଥିଲେ। ଆଫଗାନିସ୍ତାନ ସହ ଯୁଦ୍ଧ କରିବା ପାଇଁ ଆମେରିକୀୟମାନଙ୍କର ଏହା ଗୋଟାଏ ବାହାନା ବୋଲି ଜଣେ ତାଲିବାନ୍ ନେତା କହିଛନ୍ତି।
‘ଏନ୍ବିସି ନିଉଜ୍’ ସହ ସାକ୍ଷାତ୍କାର ବେଳେ ତାଲିବାନ୍ ମୁଖପାତ୍ର ତଥା ଅନ୍ୟତମ ନେତା ଜବିବୁଲ୍ଲା ମୁଜାହିଦ୍ କହିଛନ୍ତି, ୨୦ ବର୍ଷ ଧରି ଯୁଦ୍ଧ ଚାଲିବା ପରେ ମଧ୍ୟ ୨୦୦୧ ସେପ୍ଟେମର ୧୧ ତାରିଖ ଆକ୍ରମଣରେ ଓସାମା ବିନ୍ ଲାଡେନ୍ଙ୍କ ସମ୍ପୃକ୍ତି ଥିବାର କୌଣସି ପ୍ରମାଣ ନାହିଁ।
ମୁଜାହିଦ୍ ଆହୁରି ମଧ୍ୟ କହିଛନ୍ତି, ଉକ୍ତ ଯୁଦ୍ଧର କୌଣସି ଯଥାର୍ଥତା ନାହିଁ, ଯୁଦ୍ଧ କରିବା ଲାଗି ଆମେରିକୀୟମାନଙ୍କର ଏଇଟା ଗୋଟାଏ ବାହାନା।
୯/୧୧ ଆକ୍ରମଣ କରାଇଥିବା ‘ଅଲ୍-କାଏଦା’ ଭଳି ଆତଙ୍କବାଦୀ ସଙ୍ଗଠନ ପାଇଁ ଆଫଗାନିସ୍ତାନ ପୁନର୍ବାର ପ୍ରାୟୋଜକ ସାଜିବ ନାହିଁ ବୋଲି ତାଲିବାନ୍ ନିର୍ଭର ପ୍ରତିଶ୍ରୁତି ଦେଇପାରିବ କି, ବୋଲି ପଚରା ଯିବାରୁ ସେ କହିଲେ ଯେ, ଆଫଗାନ୍ ଭୂଇଁରେ ଆତଙ୍କବାଦ ଆଉ ଅଭୟ ପାଇବ ନାହିଁ ବୋଲି ସେମାନେ ଥରକୁ ଥର ପ୍ରତିଶ୍ରୁତି ଦେଇସାରିଛନ୍ତି।
ମୁଜାହିଦ ପୁଣି କହିଛନ୍ତି, ଆମେରିକୀୟମାନଙ୍କ ପାଇଁ ସମସ୍ୟା ହେଲା ବେଳେ ଲାଡେନ୍ ଆଫଗାନିସ୍ତାନରେ ଥିଲେ। କିନ୍ତୁ, ତାଙ୍କ ସମ୍ପୃକ୍ତିର କୌଣସି ପ୍ରମାଣ ନାହିଁ। ଏବେ ଆମେ ପ୍ରତିଶ୍ରୁତି ଦେଉଛୁ କି, ଆଫଗାନ୍ ଭୂଇଁକୁ ଆଉ କାହା ବିରୋଧରେ ବ୍ୟବହାର କରାଯିବ ନାହିଁ।
ତାଲିବାନ୍ ଶାସନରେ ଅଧିକାର ହରାଇବା ଆଶଙ୍କାରେ ଭୀତତ୍ରସ୍ତ ହୋଇ ବଞ୍ଚିଥିବା ନାରୀମାନଙ୍କ ପ୍ରସଙ୍ଗରେ ପଚରା ଯିବାରୁ ସେ କହିଲେ, ଆମ୍ଭେ ନାରୀମାନଙ୍କୁ ମର୍ଯ୍ୟାଦା ଦେଉ, ସେମାନେ ଆମ୍ଭର ଭଉଣୀ। ସେମାନେ ଭୀତତ୍ରସ୍ତ ହେବା ଅନୁଚିତ। ତାଲିବାନ୍ ଦେଶ ପାଇଁ ଲଢ଼ିଛି। ଭୟଭୀତ ନୁହେଁ, ନାରୀମାନେ ଆମ୍ଭମାନଙ୍କ ପାଇଁ ଗର୍ବିତା ହେବା ଉଚିତ।
ତାଲିବାନ୍ ଶାସନକୁ ଡରିମରି ଦେଶ ପରିତ୍ୟାଗ କରୁଥିବା ବିପୁଳସଂଖ୍ୟକ ଆଫଗାନବାସୀଙ୍କ ପ୍ରସଙ୍ଗ ପଚରାଯିବାରୁ ମୁଜାହିଦ୍ କହିଲେ, ଆମ୍ଭେ ଚାହୁଁନା, ଆମ୍ଭ ଦେଶବାସୀ ଦେଶ ତ୍ୟାଗ କରୁନ୍ତୁ। ଅତୀତରେ ସେମାନେ ଯାହା କରିଛନ୍ତି, ସେଥିପାଇଁ ଆମ୍ଭେ ସେମାନଙ୍କୁ କ୍ଷମା ଦେଇଛୁ। ଆମ୍ଭେ ଆମ୍ଭର ଦେଶବାସୀଙ୍କୁ ଚାହୁଁ, ଦେଶ ପାଇଁ ଯୁବ ଏବଂ ଶିକ୍ଷିତ ବ୍ୟକ୍ତିବିଶେଷ ଲୋଡ଼ା। କିନ୍ତୁ, ଏଠାରେ ରହିବା ନ ରହିବା କଥା ସେମାନଙ୍କ ଉପରେ ନିର୍ଭର କରେ।