ସରିଲା ୧୬ତମ ଲୋକସଭାର ଶେଷ ଅଧିବେଶନ : ୫ ବର୍ଷରେ ଏମାନେ ପଚାରି ନାହାଁନ୍ତି ଗୋଟିଏ ହେଲେ ପ୍ରଶ୍ନ !

ନୂଆଦିଲ୍ଲୀ : ସରିଲା ୧୬ତମ ଲୋକସଭାର ଶେଷ ଅଧିବେଶନ। ୧୬ତମ ଲୋକସଭାର ଶେଷ ଅଧିବେଶନ ଆଜି ଶେଷ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଚସ୍ପତି ସୁମିତ୍ରା ମହାଜନ ସଂସଦରେ କାର୍ଯ୍ୟଦିବସରେ ସହଯୋଗ କରିଥିବାରୁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୧୬ତମ ଲୋକସଭାର ଶେଷ ଅଧିବେଶନର ଶେଷ କାର୍ଯ୍ୟଦିବସ ସରିବା ପରେ ଲୋକସଭା ପକ୍ଷରୁ ବିଭିନ୍ନ ତଥ୍ୟ ପ୍ରକାଶ କରାଯାଇଛି । ଯାହା ସ୍ପଷ୍ଟ କରିଛି ଯେ, ୧୫ତମ ଲୋକସଭା ତୁଳନାରେ ୧୬ତମ ଲୋକସଭାରେ ଅଧିକ କାମ ହେବା ସହ ଅଧିକ ବିଧେୟକ ମଧ୍ୟ ପାରିତ ହୋଇଛି ।

ଗୃହର କାର୍ଯ୍ୟ ଛଡା ବିଭିନ୍ନ ନେତାଙ୍କ ବାବଦରେ ମଧ୍ୟ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ବିଭିନ୍ନ ପ୍ରସଙ୍ଗରେ ଗୃହରେ ସରକାରଙ୍କୁ ଟାର୍ଗେଟ କରୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସଂସଦରେ ଗୋଟିଏ ମଧ୍ୟ ପ୍ରଶ୍ନ ପଚାରିନଥିବା ଜଣାପଡିଛି । କେବଳ ରାହୁଲ ନୁହଁନ୍ତି ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ପୂର୍ବ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଓ ସମାଜବାଟୀ ପାର୍ଟି ସାଂସଦ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଗୋଟିଏ ମଧ୍ୟ ପ୍ରଶ୍ନ ପଚାରିନାହାନ୍ତି ।

ଗୃହର ସମସ୍ତ କାର୍ଯ୍ୟର ତଥ୍ୟ ରଖୁଥିବା ୱେବସାଇଟ ଦ୍ୱାରା ବୁଧବାର ସଂସଦର ଶେଷ ଅଧିବେଶନ ଶେଷ ହେବା ପରେ ଏକ ରିପୋର୍ଟ ଜାରି କରାଯାଇଥିଲା । ଏହି ରିପୋର୍ଟ ଅନୁସାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ପୂର୍ବ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଓ ମୁଲାୟମ ସିଂ ଯାଦବ ସଂସଦରେ ଆଦୌ ପ୍ରଶ୍ନ ପଚାରିନଥିବା ସାମ୍ନାକୁ ଆସିଛି । ସେହିଭଳି ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ସମେତ ୩୧ ଜଣ ସାଂସଦ ଆଦୌ ପ୍ରଶ୍ନ ପଚାରିନଥିବା ତାଲିକାରେ ସାମିଲ ଅଛନ୍ତି ।

ତେବେ ଅଧିକ ପ୍ରଶ୍ନ ପଚାରିଥିବା ତାଲିକାରେ ଏନସିପି ନେତା ରହିଛନ୍ତି । ଏନସିପି ସାଂସଦ ସୁପ୍ରିୟା ସୁଲେ, ବିଜୟ ଏସ୍ ମୋହିତ ପାଟିଲ ଓ ଧନଞ୍ଜୟ ମହାଦିକ ପ୍ରଥମ ୩ଟି ସ୍ଥାନରେ ଥିବା ବେଳେ କଂଗ୍ରେସ ସାଂସଦ ରାଜୀବ ସାଟବ ଚତୁର୍ଥ ସ୍ଥାନରେ ରହିଛନ୍ତି । କୃଷି ଓ ଚାଷୀ ଆତ୍ମହତ୍ୟା ଉପରେ ସର୍ବାଧିକ ପ୍ରଶ୍ନ ପଚାରଯାଇଥିବା ଜଣାପଡିଛି ।

୧୬ତମ ଲୋକସଭାରେ ମୋଟ ୨୧୯ଟି ସରକାରୀ ବିଧେୟକ ଉପସ୍ଥାପିତ ହୋଇଥିବା ବେଳେ ୯୩ ପ୍ରତିଶତ ବିଧେୟକ ସଦନରେ ପାରିତ ହୋଇଛି । ଏହାଛଡା ବାରମ୍ବାର ମୁଲତବୀ କାରଣରୁ ଲୋକସଭାର ୫୦୦ ଘଣ୍ଟା ବରବାଦ ହୋଇଛି । ୱେବସାଇଟ ମୁତାବିକ, ସଂସଦରେ ଗତ ୫ ବର୍ଷ ମଧ୍ୟରେ ସାଂସଦ ମାନଙ୍କର ୮୦ ପ୍ରତିଶତ ଉପସ୍ଥିତି ରହିଛି ।

ସମ୍ବନ୍ଧିତ ଖବର