ଦିଲ୍ଲୀରେ ବର୍ଷା ଗାଏବ, ଜୁନ୍‌ ୧ରୁ ‌‌ଟୋପାଏ ବର୍ଷା‌ ନାହିଁ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ଏବେ ସାରା ଦେଶରେ ଶତ ପ୍ରତିଶତ ବର୍ଷାବିହୀନ ରାଜ୍ୟ ଭାବେ ପରିଗଣିତ ହୋଇଛି। ଗତ ଜୁନ୍‌ ୧ରୁ ୧୩ ତାରିଖ ମଧ୍ୟରେ ଦିଲ୍ଲୀରେ ଟୋପା‌ଏ ବି ବର୍ଷା ନାହିଁ । ଗ୍ରୀଷ୍ମ ପ୍ରବାହରେ ସମସ୍ତେ ଛଟପଟ ହେଉଥିବା ବେଳେ ଏଭଳି ସ୍ଥିତି ଗତ ୩ ଦଶନ୍ଧି ମଧ୍ୟରେ ପ୍ରଥମ ବୋଲି କୁହାଯାଉଛି। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ଦିଲ୍ଲୀରେ ୧ରୁ ୧୩ ଯାଏଁ ବୁନ୍ଦାଏ ବି ବର୍ଷା ପଡ଼ିନାହିଁ। ଏଥିଯୋଗୁଁ ଏହା ଦେଶରେ ଶତ ପ୍ରତିଶତ ବର୍ଷାଭାବ ରାଜ୍ୟ ଭାବେ ବିବେଚିତ ହୋଇଛି। ତେବେ ଚଳିତ ମାସରେ ସାରା ଦେଶରେ ହାରାହାରି ବର୍ଷାଠାରୁ ୪୨ ପ୍ରତିଶତ କମ୍‌ ବର୍ଷା ହୋଇଛି । କେବଳ ଜମ୍ମୁ କଶ୍ମୀର, ଆଣ୍ଡାମାନ୍‌ ନିକୋବର ଏବଂ ଲାକ୍ଷାଦ୍ବୀପରେ ଅଧିକ ବର୍ଷା ହୋଇଛି। ଦିଲ୍ଲୀ ସାଧାରଣତଃ ଜୁନ୍‌ ପ୍ରଥମ ଏବଂ ଦ୍ବିତୀୟ ସପ୍ତାହ ମଧ୍ୟରେ ୧୪.୧ ମିମି ବର୍ଷାଜଳ ଗ୍ରହଣ କରିଥାଏ। କିନ୍ତୁ ଚଳିତ ବର୍ଷ ଜୁନ୍‌ ମାସରେ ଦିଲ୍ଲୀ ଦେଶରେ ଏକମାତ୍ର ସ୍ଥାନ ଯେଉଁଠାରେ ବର୍ଷାର ଚିହ୍ନବର୍ଣ୍ଣ ନାହିଁ। ମେ’ ୧୫ ତାରିଖରେ ଏଠାରେ ଶେଷଥର ପାଇଁ ବର୍ଷା ହୋଇଥିଲା।

୨୦୧୧ ମସିହାଠାରୁ ଏଯାବତ୍‌ ପ୍ରତିବର୍ଷ ଦିଲ୍ଲୀ ଜୁନ୍‌ ପ୍ରଥମ ଦୁଇ ସପ୍ତାହରେ ବର୍ଷାଜଳ ଗ୍ରହଣ କରିଥାଏ। ୨୦୧୭ରେ ଏହି ସମୟ ଅବଧି ମଧ୍ୟରେ ୪ ଦିନ ବର୍ଷା ହୋଇଥିଲା। ବର୍ଷା ଅଭାବ ଯୋଗୁଁ ଦିଲ୍ଲୀରେ ତାପମାତ୍ର ଅଧିକ ବୃଦ୍ଧି ପାଇଛି। ଗତ ସୋମବାର ଦିନ ଦିଲ୍ଲୀରେ ତାପମାତ୍ରା ୪୮ ଡିଗ୍ରି ଛୁଇଁ ରେକର୍ଡ କରିଥିଲା। ତେବେ ଆସନ୍ତା ସୋମବାର କିମ୍ବା ମଙ୍ଗଳବାର ଆଡ଼କୁ ଦିଲ୍ଲୀରେ ବର୍ଷା ହେବ ବୋଲି ଆଇଏମ୍‌ଡି ଆକଳନ କରିଛି। ଉତ୍ତର ଏବଂ ମଧ୍ୟ ଭାରତରେ ମଧ୍ୟ ବର୍ଷାଭାବ ଦେଖାଦେଇଛି। ହରିୟାଣାରେ ଜୁନ୍‌ ୧ରୁ ୧୩ ମଧ୍ୟରେ ୮୪ ପ୍ରତିଶତ ବର୍ଷାଭାବ ଦେଖାଦେଇଥିବା‌ବେଳେ ଉତ୍ତରପ୍ରଦେଶରେ ୭୪ ପ୍ରତିଶତ ରାଜସ୍ଥାନରେ ୭୭ ପ୍ରତିଶତ କମ୍‌ ବର୍ଷା ହୋଇଛି। ଅନ୍ୟପକ୍ଷେ ମଧ୍ୟପ୍ରଦେଶରେ ସ୍ବାଭାବିକ ବୃଷ୍ଠିପାତଠାରୁ ୮୮ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ଗୁଜରାଟରେ ୭୮ ପ୍ରତିଶତ ଏବଂ ମହାରାଷ୍ଟ୍ରରେ ୬୯ ପ୍ରତିଶତ କମ୍‌ ବର୍ଷା ହୋଇଛି ।

ସମ୍ବନ୍ଧିତ ଖବର