ସହମତିରେ ସମ୍ପର୍କ ରଖିବା ପରେ ବିବାହ ନ କରିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ତିରୁବନ୍ତପୁରମ: ସହମତିରେ ଯୌନ ସମ୍ପର୍କକୁ ନେଇ କେରଳ ହାଇକୋର୍ଟ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ଶୁକ୍ରବାର ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି ଯେ ଯଦି ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସହମତି ଭିତ୍ତିରେ ସମ୍ପର୍କ ରଖିବା ପରେ ଯଦି କେହି ବିବାହ କରିବାକୁ ମନା କରନ୍ତି, ତେବେ ଏହାକୁ ଦୁଷ୍କର୍ମ ବୋଲି କୁହାଯାଇପାରିବ ନାହିଁ | ଯଦି ସହମତି ନଥିବା ସତ୍ୱେ ବା ଧୋକା ଦେଇ ସମ୍ପର୍କ ରଖାଯାଏ ତେବେ ଦୁଷ୍କର୍ମ ବୋଲି କହିପାରିବା | ଯୌନ ଉତ୍ପୀଡ଼ନ ଅଭିଯୋଗରେ ଗିରଫ ହୋଇଥିବା କେନ୍ଦ୍ର ସରକାରଙ୍କ ଓକିଲଙ୍କୁ ଜାମିନ ପ୍ରଦାନ ବେଳେ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଓକିଲଙ୍କ ଉପରେ ତାଙ୍କ ସହକର୍ମୀଙ୍କ ଅଭିଯୋଗ ଆଣିଥିଲେ |

କେରଳ ହାଇକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ଦୁଇ ଜଣଙ୍କ ମଧ୍ୟରେ ଯଦି ସହମତିରେ ଯୌନ ସମ୍ପର୍କ ସ୍ଥାପିତ ହୋଇଥାଏ ଓ ବିବାହ କରିବାକୁ ପୁରୁଷ ଜଣକ ମନା କରନ୍ତି ତେବେ ଏହାକୁ ଦୁଷ୍କର୍ମ ବୋଲି କୁହାଯିବ ନାହିଁ | ଜଷ୍ଟିସ୍ ଥୋମାସ୍ ତାଙ୍କ ଆଦେଶରେ କହିଛନ୍ତି, ସହମତିରେ ଦୁଇ ଜଣଙ୍କ ସମ୍ପର୍କକୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬ ଅନୁଯାୟୀ ଦୁଷ୍କର୍ମ ବୋଲି ଧରାଯିବ ନାହିଁ, ଯେପର୍ଯ୍ୟନ୍ତ ଯୌନ ସମ୍ପର୍କର ସମ୍ମତି, ଧୋକା ଦେଇ ହୋଇନଥିବ |

ସମ୍ପର୍କ ପରେ ଯଦି ବିବାହକୁ ମନା କରିବେ କିମ୍ବା ସମ୍ପର୍କକୁ ବିବାହରେ ପରିଣତ କରିବାରେ ବିଫଳତାକୁ ଦୁଷ୍କର୍ମ ବୋଲି କହିବା ଯଥେଷ୍ଟ କାରଣ ହେବ ନାହିଁ । ଏହି ରାୟ ଦେଇ ହାଇକୋର୍ଟ ଓକିଲଙ୍କୁ ଏକ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ |

ସମ୍ବନ୍ଧିତ ଖବର