୮.୩୮ କୋଟି କର୍ମଚାରୀଙ୍କ ଜନ୍ମ ତାରିଖ ସଂପର୍କରେ କୌଣସି ପ୍ରକାରର ତଥ୍ୟ ଇପିଏଫ୍‌ଓଙ୍କ ନିକଟରେ ନାହିଁ: ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌ଓ) କର୍ତ୍ତୃପକ୍ଷଙ୍କ ସଦସ୍ୟ ଥିବା ୮.୩୮ କୋଟି କର୍ମଚାରୀଙ୍କ ଜନ୍ମ ତାରଖ ସଂପର୍କରେ କୌଣସି ପ୍ରକାରର ତଥ୍ୟ ଇପିଏଫ୍‌ଓଙ୍କ ନିକଟରେ ନାହିଁ। ଖାଲି ଏତିକି ନୁହେଁ ୧୧.୦୭ କୋଟି ଇପିଏଫ୍‌ ଆକାଉଣ୍ଟଧାରୀଙ୍କ ପିତାଙ୍କ ନାମ ମଧ୍ୟ ଇପିଏଫ୍‌ଓଙ୍କ ନିକଟରେ ନାହିଁ ବୋଲି ସୋମବାର ସଂସଦର ଲୋସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର।

ସଂସଦକୁ ସୂଚନା ପ୍ରଦାନ କରି ମନ୍ତ୍ରୀ ଶ୍ରୀ ଗଙ୍ଗଓ୍ଵାର କହିଛନ୍ତି, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌ଓ)ର ସଦସ୍ୟ ଥିବା ୮,୩୮,୦୪,୪୬୯ ଜଣ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ସେମାନଙ୍କ ଜନ୍ମ ତାରିଖ ସଂପର୍କିତ କୌଣସି ରେକର୍ଡ ନାହିଁ। ସେହିପରି, ୧୧,୦୭,୩୧,୬୧୩ ଜଣ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ସେମାନଙ୍କ ପିତାଙ୍କ ସଂପର୍କରେ କୌଣସି ପ୍ରକାରର ତଥ୍ୟ ନାହିଁ। ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ୭,୮୩,୦୬,୨୪୬ ଜଣ ଆକାଉଣ୍ଟଧାରୀଙ୍କ ନିଯୁକ୍ତି (ଡେଟ୍‌ ଅଫ୍‌ ଜଏନିଙ୍ଗ) ତାରିଖ ସଂପର୍କରେ ମଧ୍ୟ କୌଣସି ପ୍ରକାରର ତଥ୍ୟ ଇପିଏଫ୍‌ଓଙ୍କ ନିକଟରେ ଉପଲବ୍ଧ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ଗଙ୍ଗଓ୍ଵାର।

ଇପିଏଫ୍‌ଓଙ୍କ ନିକଟରେ ମହଜୁଦ୍‌ ଥିବା ତଥ୍ୟ ଅନୁଯାୟୀ ୧୯ କୋଟିରୁ ଅଧିକ ଇପିଏଫ୍‌ ଆକାଉଣ୍ଟଧାରୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ଅବସର ଗ୍ରହଣ କରିସାରିଥିବା ଓ ଇପିଏଫ୍‌ ଆକାଉଣ୍ଟର ଚୂଡ଼ାନ୍ତ ହିସାବ କରି ପ୍ରାପ୍ୟ ନେଇ ସାରିଥିବା କର୍ମଚାରୀମାନେ ମଧ୍ୟ ସାମିଲ ଅଛନ୍ତି। ତେବେ, ବର୍ତ୍ତମାନ ୫କୋଟିରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କ ଆକାଉଣ୍ଟକୁ ନିୟମିତ ଜମାରାଶି ଆସୁଥିବା ଇପିଏଫ୍‌ଓ ଠାରୁ ପ୍ରାପ୍ତ ସୂଚନାକୁ ଆଧାର କରି ସଂସଦରେ କହିଛନ୍ତି ମନ୍ତ୍ରୀ ଶ୍ରୀ ଗଙ୍ଗଓ୍ଵାର।

ସମ୍ବନ୍ଧିତ ଖବର