ଏସିଡ୍ ଆକ୍ରମଣ ଭଳି ଅସଭ୍ୟ ବର୍ବର ଅପରାଧ ପାଇଁ ଦୟାର ସ୍ଥାନ ନାହିଁ

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ସମୟରେ ଦେଖାଦେଇଥିବା ଏସିଡ୍ ଆକ୍ରମଣକୁ ଅସଭ୍ୟ ବର୍ବର ଅପରାଧ ଭାବେ ବିବେଚନା କରିଛନ୍ତି ସୁପ୍ରିମକୋର୍ଟ। ଏଥିରେ ସଂପୃକ୍ତ ଅପରାଧୀକୁ କୌଣସି ପରିସ୍ଥିତିରେ ଦୟା ଦେଖାଇବାର ପ୍ରଶ୍ନ ଉଠୁନାହିଁ ବୋଲି ମଧ୍ୟ ମାନ୍ୟବର ସର୍ବୋଚ୍ଚ ଅଦାଲତ ୨୦୦୪ ମସିହାରେ ହିମାଚଳପ୍ରଦେଶର ଜଣେ ୧୯ ବର୍ଷୀୟ ପୀଡ଼ିତାଙ୍କ ଉପରେ ହୋଇଥିବା ଏସିଡ୍ ଆକ୍ରମଣ ମାମଲାର ବିଚାର କରି ଏଭଳି ଟିପ୍ପଣୀ କରିଛନ୍ତି। ପୀଡ଼ିତା ଜଣକ ଭୋଗୁଥିବା ଶାରୀରିକ କଷ୍ଟ ଏବଂ ମାନସିକ ଯନ୍ତ୍ରଣାକୁ କୌଣସି ଅନୁକମ୍ପା ରାଶି କି ଦୋଷୀର ଦଣ୍ଡବିଧାନ ଭରଣା କରିପାରିବନି ବୋଲି ଅଦାଲତ କହିଛନ୍ତି। ଏଥି ସହିତ ୫ ବର୍ଷ ଲେଖାଏଁ ଜେଲ ଦଣ୍ଡ ଭୋଗି ସାରିଥିବା ଅପରାଧୀ ଦ୍ବୟ ଅଧିକ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ସଂପୃକ୍ତ ପୀଡ଼ିତାଙ୍କୁ ଦେବା ଲାଗି ବିଚାରପତି ଏ ଏମ୍ ଖାନଵିଲକର ଓ ଅଜୟ ରାସ୍ତୋଗିଙ୍କ ଖଣ୍ଡପୀଠ ନିର୍ଦ୍ଦେଶ କରିଛନ୍ତି। ମାମଲାର ବିବରଣୀ ଅନୁଯାୟୀ, ୨୦୦୪ ଜୁଲାଇ ୧୨ରେ ପୀଡ଼ିତା ଜଣକ ନିଜ କଲେଜକୁ ଯାଉଥିବା ବେଳେ ଅଭିଯୁକ୍ତ ଦ୍ବୟ ବାଇକରେ ଆସି ତାଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲେ। ଏଥିରେ ପୀଡ଼ିତାଙ୍କ ଶରୀରର ୧୬ ପ୍ରତିଶତ ପୋଡ଼ିଯାଇଥିଲା। ପୁଲିସ ରୁଜୁ କରିଥିବା ମାମଲାର ବିଚାର କରି ସ୍ଥାନୀୟ କୋର୍ଟ ଅଭିଯୁକ୍ତମାନଙ୍କୁ ୧୦ ବର୍ଷ ଲେଖାଏଁ ଜେଲଦଣ୍ଡ ଏବଂ ୫ ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ କରିଥିଲେ। ତେବେ ଏହି ମାମଲାରେ ହାଇକୋର୍ଟ କାରାଦଣ୍ଡକୁ ୫ ବର୍ଷକୁ କମାଇବା ସହ ଜରିମାନାକୁ ୨୫ ହଜାର ଟଙ୍କାକୁ ବଢ଼ାଇ ଦେଇଥିଲେ। ଅପରପକ୍ଷେ, ୨୦୦୮ ମାର୍ଚ୍ଚ ୨୪ ତାରିଖରେ ହାଇକୋର୍ଟ ଦେଇଥିବା ଏହି ରାୟକୁ ରାଜ୍ୟ ସରକାର ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେa। ଏହି ଅବସରରେ ଅପରାଧୀ ଦ୍ବୟ ଜରିମାନା ବାବଦ ଅର୍ଥ ଦାଖଲ ସହ ହାଇକୋର୍ଟ ନିର୍ଦ୍ଦେଶିତ ୫ ବର୍ଷର କାରାବାସ ଭୋଗି ଗତ ଡିସେମ୍ବର ୯ରେ ଖଲାସ ହୋଇସାରିଛନ୍ତି।

ସମ୍ବନ୍ଧିତ ଖବର