ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା କମିବାର ନାମ ନେଉନାହିଁ | ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ସହିତ ଏକ୍ସାଇଜ୍ ପଲିସି ମାମଲାରେ ଅଭିଯୁକ୍ତ ବିନୋଦ ଚୌହାନଙ୍କ ହେପାଜତକୁ ମଧ୍ୟ ବୃଦ୍ଧି କରାଯାଇଛି। ସେମାନଙ୍କର ହେପାଜତ ଅବଧି ଶେଷ ହେବା ପରେ ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ବିନୋଦ ଚୌହାନଙ୍କୁ ବିଆରଏସ ନେତା କବିତାଙ୍କ ସହାୟକ ମାଧ୍ୟମରେ ୨୫ କୋଟି ଟଙ୍କା ମିଳିଛି। ଅଭିଷେକ ବୋଇନପାଲୀଙ୍କ ଜରିଆରେ ଗୋଆ ନିର୍ବାଚନ ପାଇଁ ଟଙ୍କା ମିଳିଥିଲା । ଏଥିସହ ଚଳିତ ମାସ ଶେଷରେ ବିନୋଦଙ୍କ ବିରୋଧରେ ଅଭିଯୋଗ କରାଯିବ ବୋଲି ସେ କହିଛନ୍ତି।

Advertisment

ମାର୍ଚ୍ଚ ୨୧ରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ତାଙ୍କୁ ମେ ମାସରେ ୨୧ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। କେଜ୍ରିୱାଲ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନକୁ ସାତ ଦିନ ବୃଦ୍ଧି କରିବାକୁ ଚାହିଁଥିଲେ ମଧ୍ୟ ସେ ଜାମିନ ପାଇପାରିନଥିଲେ। ମଧ୍ୟବର୍ତ୍ତୀ ଜାମିନ ଅବଧି ଶେଷ ହେବା ପରେ ସେ ଜୁନ୍ ୨ରେ ତିହାର ଜେଲରେ ଆତ୍ମସମର୍ପଣ କରିଥିଲେ। ତେବେ କେଜ୍ରିୱାଲଙ୍କ ପକ୍ଷରୁ ବରିଷ୍ଠ ଓକିଲ ବିବେକ ଜୈନ କେଜ୍ରିୱାଲଙ୍କ ପକ୍ଷରୁ ହାଜର ହୋଇଥିଲେ। ସେ କିଛି କହିବାକୁ ଚାହୁଁଛନ୍ତି କି ବୋଲି କୋର୍ଟ କେଜ୍ରିୱାଲଙ୍କୁ ପଚାରିଥିଲେ। ଏନେଇ କେଜ୍ରିୱାଲ କହିଥିଲେ ମୁଁ କିଛି କହିବାକୁ ଚାହେଁ ନାହିଁ। ମୋର ଓକିଲ ଉପସ୍ଥିତ ଅଛନ୍ତି। ଏହା ପରେ ତାଙ୍କ ଓକିଲ ବିବେକ ଜୈନ କହିଛନ୍ତି ଯେ ନ୍ୟାୟିକ ହେପାଜତକୁ ଯଥାର୍ଥତା ଦେବା ପାଇଁ କିଛି ନାହିଁ। ଆମେ ନ୍ୟାୟିକ ହେପାଜତକୁ ବିରୋଧ କରୁଛୁ।