ମୁଜାଫରପୁର: ବିହାରର ମୁଜାଫରନଗରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ସମୟରେ ସେ ବିରୋଧୀଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବିହାରରେ ଜଙ୍ଗଲରାଜ ଆଣିଥିବା ଦଳ ଏଥର ଚିତପଟାଙ୍ଗ ମାରିବ । ଧର୍ମ ଆଧାରରେ କାହାକୁ ସଂରକ୍ଷଣ ଦିଆଯିବ ନାହିଁ । ଏହା ହେଉଛି ମୋଦୀର ଗ୍ୟାରେଣ୍ଟି । ପୂର୍ବରୁ ତେଲେଙ୍ଗାନା ଓ କର୍ଣ୍ଣାଟକରେ ପ୍ରଚାର କରିବା ସମୟରେ ବି ମୋଦୀ ଧର୍ମ ଆଧାରରେ ସଂରକ୍ଷଣ କଥା ଉଠାଇ ତାହାକୁ ତୀବ୍ର ବିରୋଧ କରିଥିଲେ ।
ସେ କହିଛନ୍ତି, “ଇଣ୍ଡିଆ ମେଣ୍ଟର ନେତାମାନେ କହୁଛନ୍ତି ଯେ ପାକିସ୍ତାନ ଚୁଡ଼ି ପିନ୍ଧିନାହିଁ। ଯଦି ଚୁଡ଼ି ପିନ୍ଧିନାହିଁ ତାହାକୁ ପିନ୍ଧାଇବାକୁ ପଡିବ । ଏବେ ସେମାନଙ୍କୁ ଅଟା ଦରକାର, ବିଜୁଳି ବି ନାହିଁ। ଆମେ ଜାଣିନଥିଲୁ ଯେ ସେମାନଙ୍କ ପାଖରେ ଚୁଡ଼ି ମଧ୍ୟ ନାହିଁ ।“
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁମ୍ବାଇ ଆକ୍ରମଣ ମାମଲାରେ କେତେକ ନେତା ପାକିସ୍ତାନକୁ କ୍ଲିନ୍ ଚିଟ୍ ଦେଉଛନ୍ତି। କେହି ସର୍ଜିକାଲ ଓ ଏୟାର ଷ୍ଟ୍ରାଇକ୍ କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ବାମପନ୍ଥୀମାନେ ଭାରତର ପରମାଣୁ ଅସ୍ତ୍ରକୁ ଶେଷ କରିବାକୁ ଚାହୁଁଥିଲେ। ଲାଗୁଛି ଯେମିତି ଭାରତ ବିରୁଦ୍ଧରେ ଇଣ୍ଡି ଆଲାଏନ୍ସ କାହାଠାରୁ ସୁପାରି ନେଇଛି ।