ନୂଆଦିଲ୍ଲୀ: ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଏକ ସର୍ବୋଚ୍ଚ ସଂସ୍ଥା। ଆଇନଜୀବୀଙ୍କ ଆନ୍ଦୋଳନ ସ୍ଥିତିକୁ ସମ୍ଭାଳିବା ପାଇଁ ବାର୍ କାଉନସିଲକୁ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ପଡ଼ିବ। କେବଳ ନିଲମ୍ବନରେ କାମ ଚଳିବ ନାହିଁ। ଆହୁରି ବଡ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ଓଡ଼ିଶା ଭିନ୍ନ ଅନ୍ୟ ମାମଲାର ଶୁଣାଣି ଅବସରରେ ଏଭଳି ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। କମନ୍ କଜ୍ ବନାମ ଅଭିଜିତ ଓ ଅନ୍ୟମାନେ ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ଦିନେଶ ମାହେଶ୍ବରୀ ଓ ଜଷ୍ଟିସ୍ ସୁଧାଂଶୁ ଧୂଲିଆଙ୍କ ଖଣ୍ଡପୀଠକୁ ବାର୍ ଆଡଭୋକେଟ୍ ଅର୍ଦ୍ଧେନ୍ଦୁ ମୌଲି କୁମାର ପ୍ରସାଦ ଜଣାଇଥିଲେ ଯେ ଓଡ଼ିଶାରେ କୋର୍ଟ ବର୍ଜନ କରୁଥିବା ଆଇନଜୀବୀମାନଙ୍କୁ ନିଲମ୍ବିତ କରାଯାଇଛି। ଏହା ଶୁଣି ଖଣ୍ଡପୀଠ କହିଥିଲେ ଯେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।
ସୂଚନାଯୋଗ୍ୟ ଯେ କମନ୍ କଜ୍ ସଂସ୍ଥା ପକ୍ଷରୁ ଆଇନଜୀବୀମାନେ କୋର୍ଟ ବର୍ଜନ କରୁଥିବା ନେଇ ଏକ ଅଦାଲତ ଅବମାନନା ମାମଲା ଦାୟର କରାଯାଇଥିଲା। ଶୁଣାଣି ବେଳେ ଖଣ୍ଡପୀଠ ଆଜି ବାର୍ କାଉନସିଲ୍କୁ ନ୍ୟସ୍ତ କ୍ଷମତାର ଉପଯୋଗ କରିବା ପାଇଁ କହିଥିଲେ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନରୁ ଆନ୍ଦୋଳନ ଚଳାଇଥିବା ଓକିଲମାନଙ୍କ ଲାଇସେନ୍ସ ସସ୍ପେଣ୍ଡ କରିବା ପାଇଁ ବାର୍ କାଉନସିଲ୍କୁ ନିକଟରେ ସୁପ୍ରିମକୋର୍ଟ କହିଥିଲେ। ଜଷ୍ଟିସ୍ ସଞ୍ଜୟ କିଷନ କୌଲ ଓ ଜଷ୍ଟିସ୍ ଅଭୟ ଏମ୍ ଓକାଙ୍କ ଖଣ୍ଡପୀଠରେ ଓଡ଼ିଶାରେ ଆଇନଜୀବୀଙ୍କ ଆନ୍ଦୋଳନ ମାମଲାର ଶୁଣାଣି ହୋଇଥିଲା। ଆନ୍ଦୋଳନରେ ସାମିଲ ଜିଲ୍ଲା ବାର ଆସୋସିଏସନ୍ ପଦାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଖଣ୍ଡପୀଠ ବାର୍ କାଉନସିଲ୍କୁ ନିର୍ଦ୍ଦେଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/supreme-court-final.jpg)