ରାଉରକେଲା ବିମାନବନ୍ଦର ରନୱେ ସଂପ୍ରସାରଣ ପାଇଁ ଜମି ନାହିଁ, ସଂସଦରେ ଉତ୍ତର ରଖିଲେ କେନ୍ଦ୍ର ବେସାମରିକ ବିମାନ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରାଉରକେଲା ବିମାନବନ୍ଦର ରନୱେ ସଂପ୍ରସାରଣ ପାଇଁ ଜମି ନାହିଁ। ଆଜି ଲୋକସଭାରେ କିଛି ଏଭଳି ଉତ୍ତର ରଖିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ବିକ୍ରମ ସିଂହ। କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି। ଭର୍ତ୍ତୃହରି ପ୍ରଶ୍ନ କରିଥିଲେ ଯେ ରାଉରକେଲା ବିମାନବନ୍ଦର କାର୍ଯ୍ୟକ୍ଷମ ହେବା ପରଠାରୁ କେଉଁ ସବୁ ସୁବିଧା ଉପଲବ୍ଧ କରାଯାଇଛି । ଅଧିକ ଯାତ୍ରୀଙ୍କ କ୍ଷମତା ସମ୍ପନ୍ନ ବିମାନ ପାଇଁ ରନୱେ ବଢେଇବାକୁ କୌଣସି ଯୋଜନା ଅଛି କି? ଟର୍ମିନାଲ ଭବନ ସଂପ୍ରସାରଣ ସହ ଯାତ୍ରୀଙ୍କ ଲାଉଞ୍ଜ ବଢାଇବାକୁ ନେଇ କୌଣସି ଆଲୋଚନା ହୋଇଛି କି? ସେହିପରି କେତେଦିନ ସୁଦ୍ଧା ଟର୍ମିନାଲ ଭବନ ସଂପ୍ରସାରଣ ସହ ରନୱେ ବଢାଇବା କାର୍ଯ୍ୟ ସରିବ ?

ଏହାର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ବିକ୍ରମ ସିଂହ କହିଛନ୍ତି ଯେ ରାଉରକେଲା ବିମାନବନ୍ଦର ୨ସି ବିଏଫଆର ବିମାନ ଚଳାଚଳ ପାଇଁ ଲାଇସେନ୍ସ ପାଇଛି। ବିମାନବନ୍ଦରରେ ଏଟିଆର-୭୨ ବିମାନ ଚଳାଚଳ ସୁବିଧା ପାଇଁ ୬୫୦ ବର୍ଗମିଟରର ଟର୍ମିନାଲ ଭବନ, ଏଟିସି, ପାର୍କିଙ୍ଗ, ଚାଇଲଡ କେୟାର ରୁମ, ହ୍ୱିଲ ଚେୟାର ସହାୟତା, ସଂରକ୍ଷିତ ଲାଉଞ୍ଜ ଉପଲବ୍ଧ ଅଛି। ସେହିପରି ବର୍ତ୍ତମାନ ରାଉରକେଲା ବିମାନବନ୍ଦରରେ ରନୱେ ବିସ୍ତାର କରିବାକୁ ଜମି ଉପଲବ୍ଧ ନାହିଁ। ତେବେ ଟର୍ମିନାଲ ଭବନର ସଂପ୍ରସାରଣ ୩୫୦ ବର୍ଗମିଟରରୁ ୬୫୦ ବର୍ଗମିଟରକୁ ବୃଦ୍ଧି କରାଯାଇଛି। ଆଉ ଏହାକୁ ଡିସେମ୍ବର ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରାଯାଇଛି।

ସମ୍ବନ୍ଧିତ ଖବର