ଚଣ୍ଡୀଗଡ଼: କପୁରତାଲା ଗୁରଦ୍ବାର ଅପବିତ୍ର କରାଯାଇ ନାହିଁ ଏବଂ ଉକ୍ତ ମାମଲାରେ ଫାଇଲ୍‌ ହୋଇଥିବା ‘ଏଫ୍‌ଆଇଆର୍‌’କୁ ସଂଶୋଧନ କରାଯିବ ବୋଲି ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନି କହିଛନ୍ତି।

Advertisment

ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ପୁଲିସ ସ୍ବର୍ଣ୍ଣ ମନ୍ଦିର ଏବଂ କପୁରତାଲା ହିଂସା ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, କପୁରତାଲାର ନିଜାମପୁର ଗାଁରେ ଥିବା ଗୁରଦ୍ବାର ଚୂଡ଼ାରୁ ଶିଖ୍‌ମାନଙ୍କର ବାନା ନିଶାନ୍‌ ସାହିବ୍‌ କାଢ଼ିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଡିସେମ୍ବର ୧୯ ତାରିଖରେ ଜଣେ ପିଟି ପିଟି ହତ୍ୟା କରାଯାଇଥିଲା।

publive-image Image Courtesy of Latest News Headlines

ଘଟଣାର ସଂକ୍ରାନ୍ତରେ ବିବୃତି ଦେଇ କପୁରତାଲା ପୁଲିସ ସୁନିଶ୍ଚିତ କରି କହିଥିଲା କି, ଅପବିତ୍ରିକରଣ କରାଯାଇନାହିଁ, ପାହାର ଖାଇ ମରିଥିବା ଲୋକଟି ଚୋରି କରିବାକୁ ଉଦ୍ୟମ କରୁଥିଲା।

ଶିଖ୍‌ମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ‘ଗୁରୁ ଗ୍ରନ୍ଥ ସାହିବ’କୁ ଅପବିତ୍ର କରିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ପିଟି ପିଟି ହତ୍ୟା କରାଯିବାର ୨୪ ଘଣ୍ଟା ନ ପୂରୁଣୁ ଉପରୋକ୍ତ ଘଟଣାଟି ଘଟିଥିଲା।

ଦଲିଲ ମିଳୁ ନ ଥିବାରୁ ଅମୃତସର ଏବଂ କପୁରତାଲାରେ ମାଡ଼ଖାଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କର ପରିଚୟ ମିଳିପାରି ନାହିଁ।