ଟିକା ଅଭାବ ନାହିଁ, ପରିଚାଳନାରେ ସମସ୍ୟା

ରାଜ୍ୟମାନଙ୍କରେ ମହଜୁଦ ଅଛି ୨.୪ କୋଟି ଡୋଜ୍‌, କେନ୍ଦ୍ର ପାଖରେ ଅଛି ୪୩ ନିୟୁତ ଡୋଜ୍‌

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟରେ କୋଭିଡ୍‌ ଟିକା ଅଭାବ ଦେଖାଦେଇଥିବା ନେଇ ଅଭିଯୋଗ ହୋଇଛି। ମହାରାଷ୍ଟ୍ର, ଛତିଶଗଡ଼, ତେଲେଙ୍ଗାନା , ରାଜସ୍ଥାନ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଆଦି ରାଜ୍ୟରେ ଟିକା ଅଭାବ ଦେଖାଦେଇଛି। ଏନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରି କେତେକ ରାଜ୍ୟ ବୟାନ ଦେଇଛନ୍ତି । କିନ୍ତୁ ତଥ୍ୟ କହୁଛି ଦେଶରେ ଟିକାର ଅଭାବ ନାହିଁ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଏ ବାବଦ ତଥ୍ୟ ଜାରି କରି ରାଜ୍ୟମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଟିକା ଯୋଗାଣ ଜାରି ରହିଥିବା କହିଛନ୍ତି। ବିଭିନ୍ନ ରାଜ୍ୟରେ ଟିକାର ଉପଲବ୍ଧ ଏବଂ ବ୍ୟବହାର ସଂକ୍ରାନ୍ତ‌ ତଥ୍ୟ ଏଯାବତ୍‌ ସାର୍ବଜନୀନ କରାଯାଇନି ବୋଲି ସେ କହିଛନ୍ତି। ହର୍ଷବର୍ଦ୍ଧନ କହିଛନ୍ତି, ଟିକାର କୌଣସି ଅଭାବ ନାହିଁ ବରଂ ଟିକାକରଣ ପ୍ରକ୍ରିୟାରେ ସମସ୍ୟା ରହିଯାଇଛି। ହର୍ଷବର୍ଦ୍ଧନ ପୁଣିଥରେ କହିଛନ୍ତି, କିଛି ରାଜ୍ୟ କେନ୍ଦ୍ର ସରକାରଙ୍କ ଦ୍ବାରା ପକ୍ଷପାତର ଶିକାର ହୋଇଥିବା ନେଇ ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଛି ତାହା କେବଳ ଏକ ପ୍ରହସନ। ସେମାନେ ନିଜ ଅପାରଗତାକୁ ଲୁଚାଇବାପାଇଁ ଏଭଳି ଅଭିଯୋଗ ଆଣିଛନ୍ତି। ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ଗତକାଲି କହିଥିଲେ, କେନ୍ଦ୍ର ସରକାର ଟିକା ଯୋଗାଣ କ୍ଷେତ୍ରରେ ପକ୍ଷପାତ କରୁଛନ୍ତି। ଉତ୍ତରପ୍ରଦେଶ, ଗୁଜରାଟ ପରି ରାଜ୍ୟମାନଙ୍କୁ ସରକାର ଅଧିକ ଟିକା ଦେଉଛନ୍ତି, କିନ୍ତୁ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ମାମଲା ୫୦ ହଜାରରୁ ଅଧିକ ରହୁଥିଲେ ମଧ୍ୟ ମହାରାଷ୍ଟ୍ର କମ୍‌ ଟିକା ପାଉଛି।

ହର୍ଷବର୍ଦ୍ଧନଙ୍କ ସୂଚନା ଅନୁଯାୟୀ, ଦେଶରେ ହାରାହାରି ୩୭,୧୧,୮୫୬ ଡୋଜ୍‌ ଟିକା ବିତରଣ ହେଉଥିବା ବେଳେ ଶୀର୍ଷ ୩ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ସର୍ବାଧିକ ୧,୦୬,୧୯,୧୯୦ ଡୋଜ୍‌ ଗ୍ରହଣ କରିଛି। ଗୁଜରାଟ ୧,୦୫,୧୯,୩୩୦ ଏବଂ ରାଜସ୍ଥାନ ୧,୦୪,୯୫,୮୬୦ ଡୋଜ୍‌ ପାଇଛି। ହର୍ଷବର୍ଦ୍ଧନ କହିଛନ୍ତି, ଗୁରୁବାର ସୁଦ୍ଧା ଦେଶରେ ୧୩.୫ କୋଟି ଟିକା ଡୋଜ୍‌ ବଣ୍ଟନ ହୋଇଛି । ଏଥିମଧ୍ୟରୁ ୯.୧ କୋଟି ଦିଆଯାଇଥିବା ବେଳେ ୨.୪ କୋଟି ଡୋଜ୍‌ ଷ୍ଟକ୍‌ ରହିଛି। ଭାରତରେ ମଧ୍ୟ ବିଶ୍ବର ସବୁଠୁ ବୃହତ୍ତମ ଟିକାକରଣ କାର୍ଯ୍ୟକ୍ରମ ‌ହେଉଛି। ଖୁବ୍‌ଶୀଘ୍ର ୧.୯ କୋଟି ଟିକା ଡୋଜ୍‌ ଆସିବ। ସରକାର ସ୍ଥିତିକୁ ଅତ୍ୟନ୍ତ ଭଲଭାବେ ଯାଞ୍ଚ କରି ବିହୀତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ହର୍ଷବର୍ଦ୍ଧନ କହିଛନ୍ତି।

ସମ୍ବନ୍ଧିତ ଖବର