କୁତବ ମିନାର ପରିସରରେ ଖନନ ପାଇଁ ନିଷ୍ପତ୍ତି ହୋଇନି : ସଂସ୍କୃତି ମନ୍ତ୍ରାଳୟ

ନୂଆଦିଲ୍ଲୀ : ବାରାଣାସୀର ପ୍ରସିଦ୍ଧ କାଶୀ ବିଶ୍ବନାଥ ମନ୍ଦିର ପରିସରରେ ଥବା ଜ୍ଞାନବାପି ମସଜିଦ ସର୍ଭେକୁ ନେଇ ବିବାଦ ଚାଲିଥିବାବେଳେ ଦିଲ୍ଲୀର କୁତବ ମିନାରର ବି ସର୍ଭେ ହେବ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଏପରିକି କୁତବ ମିନାର ପରିସରରେ ଖନନ ପାଇଁ କେନ୍ଦ୍ର ସରକାର ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସଆଇ)କୁ ନିର୍ଦ୍ଦେଶ ଦେଇଥିବା ବି ଚର୍ଚ୍ଚା ହେଉଥିଲା । କିନ୍ତୁ ମନ୍ତ୍ରାଳୟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କେ. ରେଡ୍ଡି କହିଛନ୍ତି ଏପରି କୌଣସି ଖନନ ପାଇଁ ନିଷ୍ପତ୍ତି ନିଆଯାଇନାହିଁ କିମ୍ବା ଏଏସଆଇକୁ ଏପରି କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ।

ଏହା ପୂର୍ବରୁ ଏକ ରିପୋର୍ଟ ଆସିଥିଲା ଯେ, ଶନିବାର ଦିନ କେତେକ ଐତିହାସିକଙ୍କ ସହ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ସଚିବ ଗୋବିନ୍ଦ ମୋହନ କୁତବ ମିନାର ପରିଦର୍ଶନ କରିଥିଲେ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମିନାରର ଦକ୍ଷିଣରେ ଥିବା ମସଜିଦଠାରୁ ୧୫ ମିଟର ଦୂରରେ ଖନନ କାମ ଆରମ୍ଭ ହେବ। କିନ୍ତୁ ଏପରି କୌଣସି ନିଷ୍ପତ୍ତି ହୋଇନଥିବା ସଂସ୍କତି ମନ୍ତ୍ରାଳୟ ସ୍ପଷ୍ଟ କରିବା ପରେ ଏସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି ।

କିଛିଦିନ ତଳେ ଏଏସଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା ଦାବି କରିଥିଲେ ଯେ କୁତବ ମିନାରକୁ କୁତବୁଦ୍ଦିନ ଆଇବାକ ନୁହେଁ, ରାଜା ବିକ୍ରମାଦିତ୍ୟ ନିର୍ମାଣ କରିଥିଲେ ।

ସମ୍ବନ୍ଧିତ ଖବର