ଚୀନ ବିମାନ ଦୁର୍ଘଟଣାରେ ସମସ୍ତ ୧୩୩ ଯାତ୍ରୀ ମୃତ, ସ୍ପଷ୍ଟ କଲେ ଚୀନ ସରକାର

ବେଜିଂ : ସୋମବାର ଚୀନରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ସମସ୍ତ ୧୩୩ ଯାତ୍ରୀ ମୃତ୍ୟୁବରଣ କରିଥିବାର ଆଶଙ୍କା ବଢିବାରେ ଲାଗିଛି । କାରଣ ଏହି ଦୁର୍ଘଟଣା ହେବାର ଇତିମଧ୍ୟରେ ଗୋଟିଏ ଦିନରୁ ଅଧିକ ସମୟ ବିତିଯାଇଥିଲେ ବି ଜଣେ ବି ଜୀବିତ ବ୍ୟକ୍ତିଙ୍କ ସନ୍ଧାନ ମିଳିପାରିନାହିଁ ।  ଏ ନେଇ ଚୀନ ସରକାରଙ୍କ ଉଦ୍ଧାରକାରୀ ଦଳ ସ୍ପଷ୍ଟ  କରିଛି ।

ଦୁର୍ଘଟଣା ପରେ ଚୀନ ସରକାରଙ୍କ ପକ୍ଷରୁ ଏକ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟରେ ଶତାଧିକ ଲୋକଙ୍କୁ ନିୟୋଜିତ କରାଯାଇଥିଲା । ଦୁର୍ଘଟଣା ସ୍ଥଳ ଦୁର୍ଗମ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇପଡ଼ିଥିଲା । ଏହା ସତ୍ତ୍ବେ ଉଦ୍ଧାରକାରୀ ଦଳ କୌଣସି ଜୀବିତ ଯାତ୍ରୀଙ୍କ ସନ୍ଧାନ ପାଇପାରିନାହାନ୍ତି  ବୋଲି ଏୟାରଲାଇନ୍ସର ୟୁନାନ ଶାଖା ମୁଖ୍ୟ ସନ ସିଙ୍ଗ୍ କହିଛନ୍ତି ।

ବିମାନର ବ୍ଲାକବକ୍ସ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଏହାର ସନ୍ଧାନ ଜାରି ରହିଛି ବୋଲି ସନ କହିଛନ୍ତି । ଏହି ବ୍ଲାକବକ୍ସ ମିଳିବା ପରେ ଦୁର୍ଘଟଣାର କାରଣ ସମ୍ପର୍କରେ ତଥ୍ୟ ମିଳିପାରିବ ।

ସୂଚନାଯୋଗ୍ୟ ଯେ, ସୋମବାରଦିନ ଚୀନର ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ଏକ ବିମାନ ଦକ୍ଷିଣ ଚୀନର ପାର୍ବତ୍ୟାଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ସମୟରେ ବୋଇଙ୍ଗ ୭୩୭ରେ ସମୁଦାୟ ୧୩୩ ଯାତ୍ରୀ ଥିଲେ ।

 

ସମ୍ବନ୍ଧିତ ଖବର