Sambad is now on WhatsApp
Join and get latest news updates delivered to you via WhatsApp
କାବୁଲ : ଗତ ବର୍ଷ ଆଫଗାନିସ୍ତାନରେ ତାଲିବାନର ଶାସନ ଆରମ୍ଭ ହେବାପରେ ପ୍ରାୟ ପ୍ରତି ମାସରେ ନୂଆ ନୂଆ ଅଜବ ନିୟମ ଜାରି କରାଯାଉଛି । ତାଲିବାନ ପକ୍ଷରୁ ଜାରି ନୂଆ ନିୟମ ଅନୁସାରେ ଏଣିକି ନେକ୍ ଟାଇ ପିନ୍ଧି ସ୍କୁଲକୁ ଆସିବା ମନା । କେବଳ ଛାତ୍ରଛାତ୍ରୀ ନୁହନ୍ତି, ଶିକ୍ଷକମାନଙ୍କୁ ବି ଟାଇ ପିନ୍ଧି ସ୍କୁଲ ଆସିବାକୁ ମନା କରାଯାଇଛି ।
ତାଲିବାନ ଶାସନାଧିନ ଇସଲାମିକ ଏମିରେଟ୍ସର ଶିକ୍ଷା ମନ୍ତ୍ରାଳୟ ଅଧିନସ୍ଥ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ଏକ ନିର୍ଦ୍ଦେଶ ଜାରି କରାଯାଇଛି । ମନ୍ତ୍ରାଳୟର ମୁଖପାତ୍ର ଅଜିଜ ଅହମ୍ମଦ ରୟାନ କହିଛନ୍ତି ଯ଼େ ଏଣିକି ସ୍କୁଲରେ ଟାଇକୁ ନିଷଦ୍ଧ କରାଯାଇଛି । ଅନ୍ୟପକ୍ଷରେ ସ୍କୁଲରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ କଡା ନିର୍ଦ୍ଦେଶ ରହିଛି ।
ଏହା ପୂର୍ବରୁ ତାଲିବାନ ପକ୍ଷରୁ ଦେଶରେ ଥିବା ବାଳିକା ବିଦ୍ୟାଳୟଗଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ନେଇ ଚାରିଆଡୁ ସମାଲୋଚନାର ସମ୍ମୁଖୀନ ହେବା ପରେ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସଂକେତ ଦେଇଛି ତାଲିବାନ ।
ଗତ ମାସରେ ତାଲିବାନ ପକ୍ଷରୁ ଏକ ନିର୍ଦେଶ ଜାରି କରି ପୁରୁଷମାନଙ୍କୁ ଦାଢି ରଖିବାକୁ କୁହାଯାଇଥିଲା । ସରକାରୀ ଅଫିସରେ ପୁରୁଷ କର୍ମଚାରୀମାନେ ଦାଢି ରଖିବା ସହିତ ସ୍ଥାନୀୟ ପୋଷାକ ପିନ୍ଧିବାକୁ ବାଧ୍ୟ ବୋଲି କୁହାଯାଇଥିଲା । ବିଶେଷ କରି ଲମ୍ବା କୁର୍ତା ଏବଂ ଢିଲା ପାଇଜାମା ପିନ୍ଧିବାକୁ ଆଫଗାନିସ୍ତାନର ଧାର୍ମିକ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।