ଲୋକସଭାରେ କାଟ ଖାଇଲା ମୋଦୀ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ, ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ବେଳେ ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ : ମଣିପୁର ହିଂସାକୁ ନେଇ କେନ୍ଦ୍ରର ମୋଦୀ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଲୋକସଭାରେ କାଟ ଖାଇଯାଇଛି । ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଭାଷଣ ଶେଷ ହେବା ପରେ ଅନାସ୍ଥା ପ୍ରସ୍ତାବଟି ବାଚନିକ ଭୋଟରେ କାଟ ଖାଇଯାଇଥିଲା । ତେବେ ବାଚନିକ ଭୋଟ ପୂର୍ବରୁ ହିଁ ବିରୋଧୀ କକ୍ଷତ୍ୟାଗ କରିସାରିଥିଲେ । ଏହା ସହିତ ସଂସଦ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ ହୋଇଯାଇଛି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ବିରୋଧୀ ଦଳଙ୍କୁ ବିଭିନ୍ନ ପ୍ରସଙ୍ଗ ଅବତାରଣା କରି ଟାର୍ଗେଟ୍ କରିଥିଲେ । ସେ କହିଥିଲେ, “୨୦୧୮ରେ ମୁଁ ବିରୋଧୀଙ୍କୁ ୨୦୨୩ରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଦାୟିତ୍ୱ ଦେଇଥିଲି ଏବଂ ସେମାନେ ମୋ କଥା ପାଳନ କରିଥିଲେ। କିନ୍ତୁ ମୁଁ ଦୁଃଖିତ ଯେ ୫ ବର୍ଷରେ ସେମାନେ ଭଲ ପ୍ରଦର୍ଶନ କରିବା କଥା, କିନ୍ତୁ କୌଣସି ପ୍ରସ୍ତୁତି ନଥିଲା, ସୃଜନଶୀଳତା ନଥିଲା । ମୁଁ ସେମାନଙ୍କୁ ୨୦୨୮ ପାଇଁ ଆଉ ଏକ ସୁଯୋଗ ଦେବି, କିନ୍ତୁ ମୁଁ  ଅନୁରୋଧ କରୁଛି ଯେ ଯେତେବେଳେ ସେମାନେ ୨୦୨୮ରେ ଅନାସ୍ଥା ପ୍ରସ୍ତାବ ଆଣିବେ ସେତେବେଳେ ପ୍ରସ୍ତୁତ ହୋଇ ଆସନ୍ତୁ ୧।’’

ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅମିତ ଶାହା ଗତକାଲି ଗୃହରେ ମଣିପୁର ବିଷୟରେ ବିସ୍ତୃତ ଭାବେ ଉପସ୍ଥାପନା କରିଥିଲେ। ମଣିପୁର ପ୍ରସଙ୍ଗରେ ଆଲୋଚନାରୁ ଦୂରେଇ ଯାଉଛନ୍ତି ବିରୋଧୀ । ଆମେ ପ୍ରସଙ୍ଗ ବିଷୟରେ ଆଲୋଚନା କରିଥିଲୁ। କିନ୍ତୁ ସେମାନେ ପ୍ରସଙ୍ଗ ଛାଡ଼ି ରାଜନୀତିରେ ରହିଲେ। ଖୁବଶୀଘ୍ର ମଣିପୁରରେ ଶାନ୍ତିର ସୂର୍ଯ୍ୟ ଉଦୟ ହେବ । ଦେଶ ମଣିପୁରବାସୀ, ଭଉଣୀ ଓ ଝିଅମାନଙ୍କ ସହିତ ରହିଛି।

ମୁଁ ମଣିପୁର ଲୋକଙ୍କୁ ବିଶ୍ବାସ ଦେବାକୁ ଚାହୁଁଛି ଯେ ସେଠାରେ ଖୁବଶୀଘ୍ର ଶାନ୍ତି ପ୍ରତିଷ୍ଠା ହେବ । ମଣିପୁର ପୁଣି ଥରେ ବିକାଶ ପଥରେ ଆଗକୁ ବଢିବ ବୋଲି ମୋଦୀ କହିଛନ୍ତି ।

ସମ୍ବନ୍ଧିତ ଖବର