ରୁଷ୍ ଠାରୁ ଲିଜ୍ରେ ଆସିଥିବା ଆଣବିକ-ବୁଡ଼ାଜାହାଜ ପାଖକୁ କୌଣସି ଆମେରିକୀୟ ଅଧିକାରୀଙ୍କୁ ଛଡ଼ା ଯାଇ ନାହିଁ
ନୂଆଦିଲ୍ଲୀ: ୧୦ ବର୍ଷ ସକାଶ ୯୦୦ ମିଲିୟନ୍ ଡଲାର୍ ଦିଆଯାଇ ରୁଷ୍ ଠାରୁ ଲିଜ୍ରେ ଅଣାଯାଇଥିବା ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜ ଆଇଏନ୍ଏସ୍ ଚକ୍ର ମଧ୍ୟଙ୍କୁ ଆମେରିକା ସେନା ଅଧିକାରୀଙ୍କୁ ଭାରତ ପ୍ରବେଶ କରାଇଛି ବୋଲି ରୁଷୀୟ ଗଣମାଧ୍ୟମ ରିପୋର୍ଟକୁ ଦେଶର ସାମରିକ ପ୍ରତିଷ୍ଠାନ ଖଣ୍ଡନ କରିଛି।
କୌଣସି ଆନୁଷ୍ଠାନିକ ବିବୃତି ଦିଆ ଯାଇ ନ ଥିଲେ ମଧ୍ୟ ବିଶେଷ ସୂତ୍ର କହିଛି ଯେ, ରୁଷ୍ ସହ ଚୁକ୍ତି କରି ଏପ୍ରିଲ୍ ୨୦୧୨ରେ ଇଣ୍ଡିଆନ୍ ନେଭି ଲିଜ୍ରେ ଆଣିଥିବା ଆକୁଲା-ଟୁ ଶ୍ରେଣୀୟ ବୁଡ଼ାଜାହାଜ ଆଇଏନ୍ଏସ୍ ଚକ୍ର ନିକଟକୁ କୌଣସି ଆମେରିକୀୟ ଅଧିକାରୀ କିଂବା ଅନ୍ୟ କାହାକୁ ଛଡ଼ା ଯିବାର ପ୍ରଶ୍ନ ଉଠୁ ନାହିଁ। ଏହା ଏକ ନ୍ୟସ୍ତ ସ୍ୱାର୍ଥ ଅପପ୍ରଚାର।
କୌତୂହଳର କଥା ହେଲା ଯେ ୧. ୫ ବିଲିୟନ୍ ଡଲାର୍ ଦେଇ ଆଉ ଏକ ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜ ଆଣିବାକୁ ନୂଆଦିଲ୍ଲୀ ମସ୍କୋ ସହ କଥାବାର୍ତ୍ତା ଚୂଡ଼ାନ୍ତ କଲାବେଳେ ଏ ଖବର ପ୍ରକାଶ ପାଇଛି। ପ୍ରାୟ ୪ ବିଲିୟନ୍ ଡଲାର ବିନିମୟରେ ଭାରତ ରୁଷ୍ ଠାରୁ ୪ଟି ଗ୍ରିଗୋରିଚିଭ୍-କ୍ଲାସ୍ ଷ୍ଟଲ୍ଥ୍ ଫ୍ରାଇଗେଟ୍ ଖରିଦ କରିବ (ଏଥିରୁ ଦୁଇଟି ଭାରତରେ ନିର୍ମାଣ କରାଯିବ) ବୋଲି ରାଜି ହେବା ପରେ ଅନ୍ୟ ଏକ ପରମାଣୁ ଶକ୍ତି ଚାଳିତ ବୁଡ଼ାଜାହାଜ ଲିଜ୍ ଦେବା ପାଇଁ ରୁଷ୍ ରାଜି ହୋଇଥିଲା।
ଆନ୍ତର୍ଜାତିକ ଚୁକ୍ତି ଯୋଗୁଁ ପରମାଣୁ ଅସ୍ତ୍ରଯୁକ୍ତ କ୍ଷେପଣାସ୍ତ୍ର ବହନ କରୁ ନ ଥିବା ଆଇଏନ୍ଏସ୍ ଚକ୍ର ଏବେ ତା’ର ରହଣୀସ୍ଥଳ ବିଶାଖାପାଟଣାରେ ମରାମତି ହେଉଛି। ଏହାର ସୋନାର୍ ଗମ୍ବୁଜକୁ ଆଚ୍ଛାଦିତ କରିଥିବା କେତେକ ଟାଇଲ୍ ନଷ୍ଟ ହୋଇ ଯାଇଛି।
ରିୟର୍ ଆଡ୍ମିରାଲ୍ ବ୍ରିୟାନ ଆଣ୍ଟୋନିଓଙ୍କ ନେତୃତ୍ୱରେ ଏକ ୧୩ ଜଣିଆ ଆମେରିକୀୟ ପ୍ରତିନିଧି ଦଳ ଅକ୍ଟୋବର ୨୯ରୁ ନଭେମ୍ବର ୩ ତାରିଖ ଯାଏ ଭାରତ ଗସ୍ତରେ ଆସିଥିଲେ। ‘ଜଏଣ୍ଟ୍ ଓ୍ଵାର୍କିଙ୍ଗ୍ ଗ୍ରୁପ୍ ଅନ୍ ଏୟାର୍କ୍ରାଫ୍ଟ୍ କ୍ୟାରିୟର୍ ଟେକ୍ନୋଲଜି କୋଅପରେସନ୍’ ବୈଠକରେ ଯୋଗ ଦେବା ପାଇଁ ଅସିଥିବା ଏହି ପ୍ରତିନିଧି ଦଳ କିନ୍ତୁ ଆଇଏନ୍ଏସ୍ ବିକ୍ରମାଦିତ୍ୟରେ ପ୍ରବେଶ କରି ୪ ଘଣ୍ଟା ପାଇଁ ଅବସ୍ଥାନ କରିଥିଲେ। ଗଭୀର ସମୁଦ୍ରରେ ଭାରତୀୟ ବିମାନ ବାହୀ ଅଭିଯାନ ସଂକ୍ରାନ୍ତରେ ଚାଲିଥିଲା ଏହି ବୈଠକ।
ରୁଷୀୟ ନିଉଜ୍ ପୋର୍ଟାଲ୍ କୋମ୍ମେର୍ସାନ୍ତ ଗୁରୁବାର ଦିନ ଦାବି କରିଛି ଯେ ଆଇଏନ୍ଏସ୍ ଚକ୍ରକୁ ଇନ୍ସ୍ପେକ୍ସନ୍ କରିବାକୁ ଇଣ୍ଡିଆନ୍ ନେଭି ଆମେରିକୀୟ ବୈଷୟିକ ଦଳକୁ ଅନୁମତି ଦେଇଥିଲା।