ନୂଆଦଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଘାତକ କରୋନାଭୂତାଣୁ ସାର୍ସ-କୋଭ୍-୨ର ରୂପାନ୍ତରିତ ପ୍ରଜାତି ବିରୋଧରେ ପ୍ରାୟ କୌଣସି ପ୍ରକାର କୋଭିଡ୍ ଟିକା ଫଳପ୍ରଦ ହେଉନଥିବା ଜଣାଯାଇଛି। ଏହି କାରଣରୁ ସେଠାରେ ଟିକାକରଣ ଧିମେଇ ଯାଇଛି ବୋଲି ଦକ୍ଷିଣ ଆଫ୍ରିକାର ପୋର୍ଟ ଏଡଵାର୍ଡଠାରେ କୋଭିଡ୍ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ଡା. ଶଙ୍କର ଚେଟ୍ଟି କହିଛନ୍ତି। ସେଠାରେ ମହାମାରୀ କୋଭିଡ୍-୧୯ର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ପରିପ୍ରେକ୍ଷୀରେ ନିଜ ଅନୁଭୂତି କହିବା ଅବସରରେ ସେ ଏପରି ଟିପ୍ପଣୀ କରିଛନ୍ତି।
ସେଠାରେ ଗତବର୍ଷ ସଂକ୍ରମଣର ପ୍ରଥମ ଲହର ବେଳେ ସରକାର କଠୋର ଲକ୍ଡାଉନ୍ କଟକଣା ଜାରି କରିଥିଲେ। ମାତ୍ର ସମାଜର ସବୁ ବର୍ଗ ପାଇଁ ତାହା ସମାନ ନଥିଲା। ସୁତରାଂ ନିଜକୁ ଏକାନ୍ତବାସରେ ରଖିଲା ପରି ସୁବିଧା ନଥିବା ନିମ୍ନ ଆୟବର୍ଗର ଲୋକଙ୍କ ଭିତରେ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିଲା। ତେବେ ଦ୍ବିତୀୟ ଲହର ସଂକ୍ରମଣ ବେଳକୁ ସେଠାରେ କୋଭିଡ୍ ଟିକା ଉପଲବ୍ଧ ଥିବାରୁ ସାମୂହିକ ଟିକାକରଣର ସମ୍ଭାବନା କିଛି ମାତ୍ରାରେ ଆଶ୍ବସ୍ତି ମାଣିଥିଲା। ମାତ୍ର ସେଠାରେ ଆବିର୍ଭୂତ ବି.୧.୩୫୧ ନାମକ ନୂତନ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ଉପଲବ୍ଧ ଥିବା କୌଣସି ବି କୋଭିଡ୍ ଟିକାର ସୁରକ୍ଷା ବଳୟକୁ ଅତିକ୍ରମ କରିବାର କ୍ଷମତା ରଖିଛି। ଫଳରେ ଟିକାକରଣ ସେତେ ଦ୍ରୁତ ହୋଇପାରୁନି। ଅପରପକ୍ଷେ, ଏହି ଅବସରରେ ସଂଖ୍ୟାଗରିଷ୍ଠ କୃଷ୍ଣକାୟ ନାଗରିକ ସଂକ୍ରମଣର ଶିକାର ହୋଇ ଗୋଷ୍ଠୀ ରୋଗପ୍ରତିରୋଧକତା ହାସଲ କରିପାରିଥିବା ସୁଖବର ହୋଇଛି।
ସୁତରାଂ ସେଠାରେ ଏବେ ଏହି ସ୍ବତନ୍ତ୍ର ବର୍ଗର ଗୋଷ୍ଠୀ ରୋଗପ୍ରତିରୋଧକତା ହାସଲକାରୀଙ୍କ ପରିବର୍ତ୍ତେ ଯେଉଁମାନଙ୍କ ଠାରେ ରୋଗପ୍ରତିରୋଧକତା ବିକଶିତ ହୋଇନାହିଁ ସେମାନଙ୍କର ଟିକାକରଣ କରାଯିବା କଥା ବିଚାର କରାଯାଉଛି। ଅପରପକ୍ଷେ, କୋଭିଡ୍ ଟିକାଗୁଡ଼ିକ ଯଦିଓ ଏହି ବି.୧.୩୫୧ ପ୍ରଜାତି ବିରୋଧରେ ସଂପୂର୍ଣ୍ଣ ଫଳପ୍ରଦ ନୁହେଁ ତଥାପି ଏହା କୌଣସି ପୀଡ଼ିତକୁ ଅତି ଗୁରୁତର ହେବାରୁ ବଞ୍ଚାଇ ପାରିବ ବୋଲି ଡା. ଚେଟ୍ଟି କହିଛନ୍ତି।