ଯୁଦ୍ଧ ନାହିଁ, ଶାନ୍ତି ବି ନାହିଁ : ଲଦାଖ ପରିସ୍ଥିତି ସମ୍ପର୍କରେ ବାୟୁସେନା ମୁଖ୍ୟଙ୍କ ବୟାନ

ନୂଆଦିଲ୍ଲୀ : ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଥିବାବେଳେ ବାୟୁସେନା ମୁଖ୍ୟ ଆରକେଏସ ଭାଦୁରିଆ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, “ଏଲଏସିରେ ସ୍ଥିତି ଅସ୍ଥିର ଅଛି । ସେଠାରେ ଯୁଦ୍ଧ ଭଳି ପରିସ୍ଥିତି ନାହିଁ, ହେଲେ ଶାନ୍ତି ବି ନାହିଁ” ।

ମାତ୍ର ସେ କହିଛନ୍ତି ଭାରତୀୟ ବାୟୁସେନା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଯଦି ଯୁଦ୍ଧ ହୁଏ ତେବେ ଭାରତୀୟ ବାୟୁସେନା ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ ।

ନିକଟରେ ବାୟୁସେନାରେ ସାମିଲ ହୋଇଥିବା ଫ୍ରାନ୍ସ ନିର୍ମିତ ରାଫେଲ, ଆମେରିକା ନିର୍ମିତ ଚିନୁକ ଓ ଆପାଚେ ଆମର ଶକ୍ତି ବୃଦ୍ଧି କରିଛି । ଏଗୁଡ଼ିକ ଭାରତୀୟ ବାୟୁସେନାର ଆକ୍ରମଣ ଶକ୍ତିକୁ ବଢାଇଦେଇଛି ।

ସୂଚନାଯୋଗ୍ୟ ଯେ ଗତ ଜୁନ ୧୫ ତାରିଖ ରାତିରେ ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଯୋଗୁଁ ଭାରତର ୨୦ ସୈନ୍ୟ ସହିଦ ହୋଇଥିଲେ । ତେବେ ନିଜର ସୈନ୍ୟ ନିହତ ହୋଇଥିଲେ ମଧ୍ୟ ଚୀନ ଏପର୍ଯ୍ୟନ୍ତ ସେହି ସଂଖ୍ୟା ପ୍ରକାଶ କରିନାହିଁ । ସେହିପରି ଗତ ଅଗଷ୍ଟ ୨୯-୩୦ ରାତିରେ ଭାରତୀୟ ଯବାନ ମାନେ ପେଙ୍ଗୟାଂ ହ୍ରଦ ନିକଟରେ ଥିବା ବ୍ଲାକ ଟପକୁ ଅଧିକାର କରିନେଇଥିଲେ । ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିଯାଇଛି । ଅନେକ ଥର ସୈନ୍ୟପ୍ରତ୍ୟାହାର ପାଇଁ କଥାବାର୍ତ୍ତା ହୋଇଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସୁନାହିଁ ।

ସମ୍ବନ୍ଧିତ ଖବର