ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଳ ସଙ୍କଟ ପରିସ୍ଥିତି ଦୟନୀୟ ହୋଇପଡିଛି । ପରିସ୍ଥିତି ଏତେ ଭୟଙ୍କର ଯେ ସାଧାରଣ ଜନତା ବର୍ତ୍ତମାନ ଅସହାୟ ଅନୁଭବ କରୁଛନ୍ତି। ଗୋଟିଏ ପଟେ ଲୋକମାନେ ପ୍ରବଳ ଉତ୍ତାପରେ ପୀଡିତ ଅଛନ୍ତି ଏବଂ ଅନ୍ୟ ପଟେ ଲୋକମାନେ ପ୍ରତ୍ୟେକ ବୁନ୍ଦା ପାଣି ପାଇବା ପାଇଁ ଆଉଟୁପାଉଟୁ ହେଉଛନ୍ତି | ତେବେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି | ଦଳମାନଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏହି ସମସ୍ୟାକୁ ନେଇ ଦିଲ୍ଲୀର ଆପ ସରକାର ହରିୟାଣା ବିଜେପି ସରକାରକୁ ଦାୟୀ କରୁଛନ୍ତି। ଏଥି ସହ ଏଥର ଦିଲ୍ଲୀ ସରକାର ପଡୋଶୀ ରାଜ୍ୟକୁ ଜଳ ଯୋଗାଣ ପାଇଁ ଅନୁରୋଧ କରିଥିଲେ। ଏ ବାବଦରେ ଉଭୟ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା, କିନ୍ତୁ ଏହି ବୈଠକ ସଫଳ ହୋଇପାରିନାହିଁ |
ଏହି ବୈଠକ ସମ୍ପର୍କରେ ଦିଲ୍ଲୀ ଜଳ ବୋର୍ଡ ଏକ ସରକାରୀ ବିବୃତ୍ତି ଜାରି କରି ପରିସ୍ଥିତି ବାବଦରେ କହିଛି । ବିବୃତ୍ତିରେ କୁହାଯାଇଛି ଯେ ବର୍ତ୍ତମାନର ଜଳ ସଙ୍କଟକୁ ନେଇ ହରିୟାଣା ସରକାର ଦିଲ୍ଲୀକୁ ଅତିରିକ୍ତ ଜଳ ଯୋଗାଇବାକୁ ସିଧାସଳଖ ମନା କରି ଦେଇଛନ୍ତି। ଜଳ ଅଭାବର ସମସ୍ୟାର ସମାଧାନ ପାଇଁ ଦିଲ୍ଲୀ ସରକାରୀ ଅଧିକାରୀଙ୍କ ଏକ ଟିମ୍ ଚଣ୍ଡିଗଡ଼ରେ ହରିୟାଣା ସରକାରଙ୍କ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ ଦିଲ୍ଲୀ ସରକାର ହରିୟାଣା ସରକାରଙ୍କୁ ଅତିରିକ୍ତ ଜଳ ଯୋଗାଇବାକୁ ଅନୁରୋଧ କରିଥିଲେ। ତେବେ ହରିୟାଣା ସରକାର ଅତିରିକ୍ତ ଜଳ ଯୋଗାଇପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଥିଲେ |