ନୂଆଦିଲ୍ଲୀ: କାମ ନଦେଇ ୧କୋଟି ଦରମା ଦେଉଥିବାରୁ କୋର୍ଟ ଗଲେ କର୍ମଚାରୀ। ଏଭଳି ଅଜବ ଘଟଣା ଘଟିଛି ଆୟର୍ଲାଣ୍ଡର ଡବଲିନରେ। ଜଣେ ରେଳ କର୍ମଚାରୀ ତାଙ୍କ ମାଲିକଙ୍କ ବିରୋଧରେ କୋର୍ଟରେ ମାମଲା ଦାୟର କରିଥିବା ଜଣାପଡ଼ିଛି। ସେ ଅଭିଯୋଗ କରିଛନ୍ତି ଯେ, ଅଫିସରେ ତାଙ୍କୁ ବହୁତ କମ୍ କାମ ଦିଆଯାଉଛି ଏବଂ ତାଙ୍କୁ ଦଣ୍ଡ ଦେବା ଉଦ୍ଦେଶ୍ୟରେ ଏହା କରାଯାଉଛି। କାରଣ ସେ ରେଳବାଇର ଆକାଉଣ୍ଟ ସହ ଜଡିତ କିଛି ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଥିଲେ।

Advertisment

ଆଇରିଶ ରେଳ ବିଭାଗର ଫାଇନାନ୍ସ ମ୍ୟାନେଜର ଡର୍ମୋଟ ଏଲିଷ୍ଟେୟର ମିଲ୍ସ ଏହି ପ୍ରସଙ୍ଗକୁ ନେଇ କୋର୍ଟରେ ତାଙ୍କ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ୨୦୧୪ରେ ରେଳ ଅପରେଟର ସହ ଜଡିତ କିଛି ଆକାଉଣ୍ଟ ବିଷୟରେ ପ୍ରଶ୍ନ ଉଠାଇବା ପରେ ତାଙ୍କୁ ଦଣ୍ଡ ଦିଆଯାଉଛି। ଦଣ୍ଡ ସ୍ୱରୂପ ତାଙ୍କୁ କମ କାମ ଦିଆଯାଉଛି। କାମ କମ ଥିବାରୁ ସେ ଖବର କାଗଜ ପଢ଼ିବା, ବାହାରେ ବୁଲିବା ଏବଂ ସ୍ୟାଣ୍ଡଓ୍ବିଚ ଖାଇ ନିଜର ସମୟ କଟାଉଛନ୍ତି। ଏଭଳି କରି କରି ସେ ବିରକ୍ତ ହୋଇଯାଇଥିବା କୋର୍ଟକୁ ଜଣାଇଛନ୍ତି।

ଦ ମିରର ଅନୁଯାୟୀ, ଡର୍ମୋଟଙ୍କୁ ବାର୍ଷିକ ୧କୋଟି ଟଙ୍କା ଦରମା ମିଳୁଛି। ହେଲେ କମ କାମ ଦିଆଯାଉଥିବାରୁ ସେ ଏବେ ଏନେଇ ଅଭିଯୋଗ କରିଛନ୍ତି। ସେ 'ୱାର୍କପ୍ଲେସ ରିଲେସନ କମିସନ' ସାମ୍ନାରେ ଅଭିଯୋଗ କରିଛନ୍ତି ଯେ, ସେ ଆଇରିଶ ରେଳ ବିରୋଧରେ କହିଥିବାରୁ ତାଙ୍କୁ ଦଣ୍ଡ ଦିଆଯାଉଛି। ସପ୍ତାହରେ ୨ଦିନ ଘରେ ରହିବାକୁ କୁହାଯାଉଛି। ଅଫିସରେ ଏକା ବସିବାକୁ କୁହାଯାଉଛି। ଅଫିସର କେହି କର୍ମଚାରୀ ତାଙ୍କୁ କାମକୁ ନେଇ ଇମେଲ ବା ମେସେଜ କରୁନାହାନ୍ତି। ଅଫିସରେ ବୈଠକ ହେଲେ ବି ଡକାଯାଉନାହିଁ। ତେବେ ଏଲିଷ୍ଟେୟରଙ୍କ ବୟାନ ରେକର୍ଡ ପରେ ଶୁଣାଣି ଫେବ୍ରୁଆରିକୁ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି।