ରସାୟନ, ପଦାର୍ଥ ବିଜ୍ଞାନ ଓ ମେଡିସିନ୍‌ରେ ୯ ଜଣଙ୍କୁ ନୋବେଲ

ସ୍ବିଡେନ : ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା ପ୍ରକ୍ରିୟା ଗତ ୭ ତାରିଖରୁ ଆରମ୍ଭ ହୋଇଛି। ସ୍ବିଡେନ୍‌ର ଷ୍ଟକ୍‌ହମ୍‌ ସ୍ଥିତ ରୟାଲ ସ୍ବିଡିସ୍‌ ଏକାଡେମି ଅଫ୍‌ ସାଇନ୍ସେସ୍‌ ଦ୍ବାରା ପଦାର୍ଥ ବିଜ୍ଞାନ, ରସାୟନ ଏବଂ ଚିକିତ୍ସା ବିଜ୍ଞାନରେ ୩ ଜଣ ଲେଖାଏଁ ବୈଜ୍ଞାନିକଙ୍କ ନାମ ନୋବେଲ ପାଇଁ ଘୋଷଣା ହୋଇଛି। ଚିକିତ୍ସା ବିଜ୍ଞାନ (ମେଡିସିନ)ରେ ୱିଲିୟମ ଜେ କିଲିନ୍‌, ପିଟର ଜେ ରେଟ୍‌କ୍ଲିଫ୍‌ ଏବଂ ଗ୍ରେଗ୍‌ ଏଲ୍‌ ସେମେଞ୍ଜାଙ୍କୁ ମିଳିତ ଭାବେ ଚଳିତ ବର୍ଷର ନୋବେଲ୍‌ ପୁରସ୍କାର ବିଜେତା ଭାବେ ଘୋଷଣା କରାଯାଇଛି। ଶରୀରରେ କୋଷଗୁଡ଼ିକ କିଭଳି ଅକ୍ସିଜେନ୍‌ ଉପଲବ୍ଧିକୁ ଅନୁଭବ କରନ୍ତି ସେ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଗବେଷଣା ପାଇଁ ସେମାନଙ୍କୁ ପୁରସ୍କୃତ କରାଯାଇଥିବା ପ୍ରକାଶ। କିଲିନ୍‌ ୨୦୦୨ରେ ହାଭାର୍ଡ ମେଡିଲକାଲ ସ୍କୁଲ୍‌ରେ ପ୍ରଫେସର ଥିଲେ। ପିଟର ରେଟ୍‌କ୍ଲିଫ୍‌ ଜଣେ ପ୍ରଖ୍ୟାତ ଅଣୁ ଜୀବବିଜ୍ଞାନୀ ଭାବେ ପରିଚିତ ଏବଂ ୨୦୧୬ରୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଟାର୍ଗେଟ୍‌ ଡସ୍କଭରି ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଅଛନ୍ତି। ନୋବେଲ୍‌ ବିଜେତା ଅନ୍ୟତମ ବୈଜ୍ଞାନିକ ଗ୍ରେଗ୍‌ ଏଲ୍‌ ସେମେଞ୍ଜା ହପ୍‌କିନ୍ସ ବିଶ୍ବବିଦ୍ୟାଳୟରେ ମେଡିସିନ ଏବଂ ‌ବାୟୋଲୋଜିକାଲ କେମିଷ୍ଟ୍ରିରେ ପ୍ରଫେସର ଅଛନ୍ତି।

ପଦାର୍ଥ ବିଜ୍ଞାନ : ଜେମ୍‌ସ ପିବ୍‌ଲିସ, ମାଇକେଲ୍‌ ମେୟର ଏବଂ ଡିଡିୟର କ୍ବେଲୋଜ୍‌

ରସାୟନ ପାଇଁ ଜନ୍‌ ବି ଗୁଡ୍‌ଏନଫ୍‌, ଷ୍ଟାନ୍‌ଲି ୱିଟିଙ୍ଗହମ୍‌, ଆକିରା ୟୋସିନୋଙ୍କୁ ୨୦୧୯ର ନୋବେଲ୍‌ ପୁରସ୍କାର ମିଳିଛି। ଲିଥିୟମ୍‌ ଆୟନ ବ୍ୟା‌ଟେରି ବିକଶିତ କରିବା ଦିଗରେ ଏହି ୩ ବୈଜ୍ଞାନିକଙ୍କ ବଳିଷ୍ଠ ଅବଦାନ ପାଇଁ ସେମାନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ରୟାଲ ଏକାଡେମି ଅଫ୍‌ ସାଇନ୍ସେସ୍‌ ଦ୍ବାରା‌ ଆଜି ଏହା ଘୋଷଣା କରାଯାଇଛି। ଜନ୍‌ ବି ଗୁଡ୍‌ଏନଫ୍‌ ସବୁଠୁ ବୟସ୍କ ବ୍ୟକ୍ତି ଭାବେ ୯୭ ବର୍ଷ ବୟସରେ ନୋବେଲ ପୁରସ୍କାର ପାଇଛନ୍ତି। ମୋବାଇଲ୍‌ ଫୋନ୍‌ଠାରୁ ଆରମ୍ଭ କରି ରିମୋଟ କଣ୍ଟ୍ରୋଲ୍‌ ଏବଂ ବିଦ୍ୟୁତ୍‌ଚାଳିତ ଯାନରେ ମଧ୍ୟ ଲିଥିୟମ ଆୟନ ବ୍ୟାଟେରି ବ୍ୟବହାର ହୋଇଥାଏ। ଏହି ୩ ଜଣ ବୈଜ୍ଞାନିକ ସେମାନଙ୍କ ଉଦ୍ଭାବନ ଦ୍ବାରା ୱାୟାର୍‌ଲେସ୍‌ ଏବଂ ଜୀବାଶ୍ମ ଇନ୍ଧନ ମୁକ୍ତ ସମାଜ ପାଇଁ ସଠିକ୍‌ ମାର୍ଗ ଦେଖାଇଛନ୍ତି। ଏହି କମ୍‌ ଓଜନର ରିଚାର୍ଜ ହେଉଥିବା ଶକ୍ତିଶାଳୀ ବ୍ୟାଟେରି ସୌର ଏବଂ ପବନରୁ ମଧ୍ୟ ଶକ୍ତି ସଞ୍ଚୟ କରିପାରିବ ଏବଂ ଏହାଦ୍ବାରା ଏକ ଜୀବାଶ୍ମ ମୁକ୍ତ ସମାଜ ସମ୍ଭବ ହୋଇପାରିବ। ଜନ୍‌ ବି ଗୁଡ଼ଏନଫ୍‌ ଜର୍ମାନୀରେ ୧୯୨୨ରେ ଜନ୍ମ ଗ୍ରହଣ କରିଥିଲେ ଏବଂ ଏବେ ସେ ଟେକ୍ସାସ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ଆମେରିକୀୟ ପ୍ରଫେସର ଏମ୍‌ ଷ୍ଟାନ୍‌ଲି ୱିଟିଙ୍ଗହମ୍‌ ୧୯୪୧ରେ ବ୍ରିଟେନ୍‌ରେ ଜନ୍ମ ଗ୍ରହଣ କରିଥିଲେ ଏବଂ ଏବେ ବିଂଘାମ୍‌ଟନ ବିଶ୍ବବିଦ୍ୟାଳୟରେ ପ୍ରଫେସର ଅଛନ୍ତି। ଅନ୍ୟତମ ବୈଜ୍ଞାନିକ ଆକିରା ୟୋଶିନୋ ଏବେ ଜାପାନ୍‌ର ମିଜୋ ବିଶ୍ବବିଦ୍ୟାଳୟରେ ପ୍ର‌ଫେସର ଅଛନ୍ତି।

ଚିକିତ୍ସା ବିଜ୍ଞାନ : ୱିଲିୟମ କିଲିନ୍‌, ପିଟର ରେଟ୍‌କ୍ଲିପ୍‌ ଏବଂ ଗ୍ରେଗ୍‌ ସେମେଞ୍ଜା

ଚଳିତବର୍ଷ ପଦାର୍ଥ ବିଜ୍ଞାନ ପାଇଁ ବୈଜ୍ଞାନିକ ଜେମ୍‌ସ ପିବ୍‌ଲିସ, ମାଇକେଲ୍‌ ମେୟର ଏବଂ ଡିଡିୟର କ୍ବେଲୋଜ୍‌ଙ୍କ ନାମ ମଂଗଳବାର ନୋବେଲ୍‌ ପୁରସ୍କାର ପାଇଁ ଘୋ‌ଷଣା ହୋଇଛି। ଜେମ୍‌ସ ପିବ୍‌ଲିସ ପ୍ରିନ୍‌ସଟନ ସ୍ଥିତ ଆଲବର୍ଟ ଆଇନ୍‌ଷ୍ଟାଇନ ଅଫ୍‌ ସାଇନ୍‌ସର ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ଦୀର୍ଘ ୫୫ ବର୍ଷ ଧରି ସେ ବ୍ରହ୍ମାଣ୍ଡ ବିଜ୍ଞାନରେ ଗବେଷଣା କରୁଛନ୍ତି। ସେହିଭଳି ମାଇକେଲ୍‌ ମେୟର ଜେନିଭା ବିଶ୍ବବିଦ୍ୟାଳୟରେ ବ୍ରହ୍ମାଣ୍ଡ ବିଜ୍ଞାନରେ ଗବେଷଣା କରୁଥିବା ବେଳେ ଡିଡିୟର କ୍ବେଲୋଜ୍‌ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟର ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ଭୌତିକ ବ୍ରହ୍ମାଣ୍ଡ ବିଜ୍ଞାନ ଗବେଷଣା ଏବଂ ସୂର୍ଯ୍ୟଙ୍କ ଭଳି ଅନ୍ୟ ଏକ ସୌରଜଗତର ଆବିଷ୍କାର ପାଇଁ ଏହି ୩ ଜଣ ‌ବ୍ରହ୍ମାଣ୍ଡ ବିଜ୍ଞାନୀଙ୍କ ନାମ ନୋବେଲ୍‌ ପୁରସ୍କାର ପାଇଁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର