ସାହିତ୍ୟରେ ଓଲ୍‌ଗା ଓ ହ୍ୟାଣ୍ଡ୍‌କେଙ୍କୁ ନୋବେଲ

ଷ୍ଟକ୍‌ହାମ୍‌ : ସାହିତ୍ୟ ପାଇଁ ଆଜି ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି। ସ୍ବିଡିସ ଏକାଡେମି ୨୦୧୮ ବର୍ଷ ପାଇଁ ପୋଲାଣ୍ଡର ଲେଖକ ଓଲ୍‌ଗା ଟୋକାର୍କଜୁକ୍ ଏବଂ ୨୦୧୯ ବର୍ଷ ପାଇଁ ଅଷ୍ଟ୍ରିଆର ଲେଖକ ପିଟର୍‌ ହ୍ୟାଣ୍ଡ୍‌କେଙ୍କ ନାମ ଘୋଷଣା କରିଛି।

ଓଲ୍‌ଗା ଟୋକାର୍କଜୁକ୍ ପୋଲାଣ୍ଡର ସୁଲେଚୋରେ ୧୯୬୨ରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୯୩ରେ ପ୍ରଥମ ଉପନ୍ୟାସ ‘ପୋଡ୍ରୋଜ୍‌ ୟୁଡ୍‌ଜି କେସିଗି’ (ଦି ଜର୍ଣ୍ଣି ଅଫ୍‌ ଦି ବୁକ୍‌ ପିପୁଲ୍‌) ଲେଖି ସାହିତ୍ୟ ଦୁନିଆରେ ପ୍ରଥମ ପାଦ ଥାପିଥିଲେ। ୧୯୯୬ରେ ତାଙ୍କର ତୃତୀୟ ଉପନ୍ୟାସ ‘ପ୍ରାୱିକ ଆଇ ଇନେ ଜାସି’ ତାଙ୍କୁ ଅଧିକ ଲୋକପ୍ରିୟ କରିପାରିଥିଲା। ସେହିଭଳି ୨୦୧୯ ବର୍ଷ ପାଇଁ ଘୋଷିତ ହୋଇଥିବା ଅଷ୍ଟ୍ରିଆ ଲେଖକ ପିଟର୍‌ ହ୍ୟାଣ୍ଡ୍‌କେ ୧୯୪୨ରେ ଦକ୍ଷିଣ ଅଷ୍ଟ୍ରିଆର କର୍ଣ୍ଣଟେନ୍‌ ଅଞ୍ଚଳର ଗ୍ରିଫେନ୍‌ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୯୬୬ ମସିହାରେ ତାଙ୍କର ପ୍ରଥମ ଉପନ୍ୟାସ ‘ଡାଇ ହର୍ଣ୍ଣିସେନ୍‌’ ପ୍ରକାଶିତ ହେବାପରେ ସେ ଉପନ୍ୟାସ ଜଗତରେ ଚର୍ଚ୍ଚିତ ହୋଇଥିଲେ। ତାଙ୍କ ରଚିତ ନାଟକ ‘ଅଫେଣ୍ଡିଂ ଦି ଅଡିଏନ୍‌ସ’ ତାଙ୍କୁ ରାତାରାତି ଚର୍ଚ୍ଚାର ଶୀର୍ଷରେ ପହଞ୍ଚାଇଥିଲା।

ସୂଚନାଯୋଗ୍ୟ, ନୋବେଲ୍‌ ଚୟନ କମିଟିରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ୨୦୧୮ ବର୍ଷ ପାଇଁ ନୋବେଲ୍‌ ପୁରସ୍କାରକୁ ସ୍ଥଗିତ ରଖା ଯାଇଥିଲା। ଏଣୁ ଦୁଇ ବର୍ଷ ପାଇଁ ଦୁଇ ଜଣ ଲେଖକଙ୍କ ନାମ ଚଳିତବର୍ଷ ଏକ ସଙ୍ଗରେ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର