ଦୁଇ ଆମେରିକୀୟଙ୍କୁ ଅର୍ଥନୀତିରେ ନୋବେଲ

ନୂଆଦିଲ୍ଲୀ: ନିଲାମ ତତ୍ତ୍ବରେ ଉଲ୍ଲେଖନୀୟ ଉନ୍ନତି ଆଣିଥିବା ଆମେରିକାର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର ଅର୍ଥନୀତିଜ୍ଞ ପ୍ରଫେସର ପଲ୍‌ ମିଲିଗ୍ରମ୍‌(୭୨) ଓ ପ୍ରଫେସର ରବର୍ଟ ଵିଲସନ୍‌(୮୩)ଙ୍କୁ ଚଳିତବର୍ଷ ଅର୍ଥନୀତିରେ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏହି ଅର୍ଥନୀତିଜ୍ଞ ଦ୍ବୟ ନିଲାମ କିପରି କାମକରେ ତାହାର ପୁଙ୍ଖାନୁପୁଙ୍ଗ ଅନୁଧ୍ୟାନ କରିବା ସହ ତତ୍‌ ସଂକ୍ରାନ୍ତ ଏକ ନୂତନ ଢାଞ୍ଚା ପ୍ରସ୍ତୁତ କରିଛନ୍ତି। ସର୍ବତ୍ର ନିଲାମ ହିଁ ଆମମାନଙ୍କର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଥାଏ। ତେବେ ସେମାନଙ୍କ ଏହି ନୂତନ ଆବିଷ୍କାର ଦ୍ବାରା ସାଧାରଣତଃ ପାରମ୍ପରିକ ଶୈଳୀରେ ବିକ୍ରି ହୋଇପାରୁନଥିବା ରେଡିଓ ଫ୍ରିକ୍ବେନ୍ସିଜ୍‌ ପରି ଅସାଧାରଣ ପଣ୍ୟଗୁଡ଼ିକର କାରବାର ଓ ସେବା ସହଜ ହୋଇପାରିବ ବୋଲି ନୋବେଲ କମିଟି ପକ୍ଷରୁ କୁହାଯାଇଛି।

ବିଶେଷ କରି ବିବେକୀ ନିଲାମଧାରୀମାନେ କାହିଁକି କୌଣସି ନିଲାମରେ ନିଜର ଶ୍ରେଷ୍ଠ ହିସାବ ମୂଲ୍ୟଠାରୁ କମ୍‌ ଦର ଦର୍ଶାଇ ବିଜେତାଙ୍କ ଅଭିଶାପର ଶିକାର ହୋଇଥାନ୍ତି ତାହାକୁ ଵିଲସନ୍‌ ବିଶଦ ଭାବେ ବର୍ଣ୍ଣନା କରିଛନ୍ତି। ସେହିପରି ମିଲଗ୍ରମ୍‌ ନିଲାମ ପ୍ରକ୍ରିୟା ପାଇଁ ଏକ ଅଭିନବ ସୂତ୍ର ବାହାର କରିଛନ୍ତି, ଯେଉଁଥିରେ ସାଧାରଣ ଦରଗୁଡ଼ିକ ସାମିଲ ହେବା ସହ ବିଭିନ୍ନ ନିଲାମଧାରୀଙ୍କ ବ୍ୟକ୍ତିଗତ ଦର ମଧ୍ୟ ସ୍ଥାନ ପାଇପାରିବ। ତେବେ ସେମାନଙ୍କ ଏହି ଉଦ୍ୟମ ଫଳରେ ବିଶ୍ବବ୍ୟାପୀ ସ୍ବତନ୍ତ୍ର ଧରଣର କ୍ରେତା, ବିକ୍ରେତା ଓ କରଦାତାମାନେ ଉପକୃତ ହୋଇପାରିବେ ବୋଲି କୁହାଯାଇଛି। ସୂଚନା ଥାଉକି, ୧୯୬୯ ମସିହାରୁ ‘ଆଲଫ୍ରେଡ୍‌ ନୋବେଲଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ସ୍ବେରିଜ୍‌ସ ରିକ୍‌ସବ୍ୟାଙ୍କ ପୁରସ୍କାର’ ନାମରେ ପ୍ରଦାନ କରାଯାଇ ଆସୁଥିବା ଏହି ସମ୍ମାନ ଅନ୍ୟତମ ନୋବେଲ ପୁରସ୍କାର ଭାବେ ପରିଚିତ। ପୁରସ୍କାର ସ୍ବରୂପ ବିଜେତା ଦ୍ବୟଙ୍କୁ ସ୍ବର୍ଣ୍ଣ ପଦକ ସହ ନଗଦ ଏକ କୋଟି କ୍ରୋନର (ସ୍ବେଡେନ୍‌ ମୁଦ୍ରା) ଅର୍ଥରାଶି ଆସନ୍ତା ଡିସେମ୍ବର ୧୦ ତାରିଖରେ ପ୍ରତିଷ୍ଠାତା ସ୍ବର୍ଗତ ନୋବେଲ୍‌ଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର