କଙ୍ଗୋର ଡେନିସ ମୁକେଓ୍ଵଜ ଓ ଇରାକର ନାଦିଆ ମୁରାଦ ପାଇବେ ଏବର୍ଷର ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ କଙ୍ଗୋର ଡାକ୍ତର ଡେନିସ ମୁକେଓ୍ଵଜ ଓ ଯୁଦ୍ଧବିଧ୍ୱସ୍ତ ଇରାକର ସାମାଜିକ କର୍ମୀ ନାଦିଆ ମୁରାଦ ଏ ବର୍ଷର ବିଶ୍ୱର ସବୁଠୁ ମର୍ଯ୍ୟାଦାଜନକ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଡାକ୍ତର ଡେନିସ ମୁକେଓ୍ଵଜ ହେଉଛନ୍ତି ଆଫ୍ରିକୀୟ ଦେଶ କଙ୍ଗୋର ଜଣେ ଡାକ୍ତର । ସେ ଯୁଦ୍ଧ ବିଧ୍ୱସ୍ତ କଙ୍ଗୋ ତଥା ଆଖପାଖ ଦେଶମାନଙ୍କରେ ଯୌନହିଂସା ପୀଡିତ ମହିଳାମାନଙ୍କ ଚିକିତ୍ସା ଦିଗରେ ୧୯୯୯ରୁ କାମ କରିଆସୁଛନ୍ତି । ସେହିପରି ନାଦିଆ ନିଜେ ଜଣ ଦୁଷ୍କର୍ମ ପୀଡିତା । ୨୦୧୪ରେ ନାଦିଆ ମୁରାଦଙ୍କ ସମେତ ଆଉ କେତେକ ୟେଜିଦି ଯୁବତୀଙ୍କୁ ଆଇଏସଆଇଏସ ଆତଙ୍କବାଦୀମାନେ ଅପହରଣ କରି ନେଇ ଦୁଷ୍କର୍ମ କରିବା ପରେ ଯୌନଦାସୀ କରି ରଖିଥିଲେ। ଆତଙ୍କବାଦୀଙ୍କ କବଳରୁ ମୁକୁଳିବା ପରେ ସେ ଦୁଷ୍କର୍ମ ପୀଡିତାମାନଙ୍କ ଉନ୍ନତି ପାଇଁ କାମ କରିଆସୁଛନ୍ତି ।

ପୁରସ୍କାର ବାବଦରେ ମିଳିବାକୁ ଥିବା ୯ ନିୟୁତ ସ୍ୱିସ କ୍ରୋନର ( ପ୍ରାୟ ୧.୦୧ ନିୟୁତ ଡଲାର) ଏହି ଦୁଇଜଣଙ୍କ ମଧ୍ୟରେ ବାଣ୍ଟିଦିଆଯିବ । ପ୍ରସିଦ୍ଧ ବୈଜ୍ଞାନିକ, ବ୍ୟବସାୟୀ ତଥା ଡିନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ବିଜ୍ଞାନ, ସାହିତ୍ୟ ଓ ବିଶ୍ୱ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ । ପ୍ରଥମେ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ଘୋଷଣା କରାଯାଏ । ତେବେ ଯୌନ କେଳେଙ୍କାରୀ ପାଇଁ ଏ ବର୍ଷ ସାହିତ୍ୟ ନୋବେଲ ପୁରସ୍କାର କାହାରିକୁ ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର