ଓସ୍ଲୋ : ୨୦୧୮ ବର୍ଷ ପାଇଁ ନୋବେଲ୍ ଶାନ୍ତି ପୁରସ୍କାର ଜିତିଛନ୍ତି କଙ୍ଗୋର ପ୍ରସିଦ୍ଧ ଡାକ୍ତର ଡେନିସ୍ ମୁକୱେଗେ ଏବଂ ଇରାକ୍ର ୟାଜିଦି ସମ୍ପ୍ରଦାୟ ମାନବାଧିକାର କର୍ମୀ ନଦିୟା ମୁରାଦ୍। ଯୌନ ହିଂସା ତଥା ଶାରୀରିକ ନିର୍ଯାତନା ଭଳି ଅମାନବୀୟ ଅତ୍ୟାଚାର ବିରୋଧରେ ଅବିରତ ଲଢ଼େଇ କରି ବିଶ୍ବରେ ଚର୍ଚ୍ଚାର ପରିସରକୁ ଆସିଥିବା ଉଭୟ ଡେନିସ୍ ଏବଂ ନଦିୟାଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ଦେବାକୁ ନିଷ୍ପତ୍ତି ନିଆଯାଇଛି। ନୋବେଲ୍ ସମିତି ପକ୍ଷରୁ ଉଭୟଙ୍କ ନାମ ନୋବେଲ୍ ଶାକ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଛି। ଉଭୟଙ୍କୁ ଡିସେମ୍ବର ୧୦ ତାରିଖରେ ନୋବେଲ ଶାନ୍ତି ପୁରସ୍କାରର ପ୍ରତିଷ୍ଠାତା ଆଲଫ୍ରେଡ୍ ନୋବେଲ୍ଙ୍କ ଶ୍ରାଦ୍ଧ ବାର୍ଷିକୀ ଉତ୍ସବରେ ଓସ୍ଲୋରେ ଏହି ପୁରସ୍କାର ଦିଆଯିବ।
ଡେନିସ୍ କଙ୍ଗୋର ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର। ୧୯୯୯ ମସିହାରେ ପୂର୍ବ ସହର ବୁକାଭୁରେ ସେ ଖୋଲିଥିଲେ ପାନ୍ଜି ହସ୍ପିଟାଲ୍। ଏହି ହସ୍ପିଟାଲ୍ରେ ସେ ଯୌନ ନିର୍ଯାତନାର ଶିକାର ହୋଇଥିବା ହଜାର ହଜାର ମହିଳାଙ୍କୁ ଚିକିତ୍ସା କରୁଛନ୍ତି। ଯୁଦ୍ଧ ପ୍ରବଣ କଙ୍ଗୋର ପୂର୍ବ ଡେମୋକ୍ରାଟିକ୍ ରିପବ୍ଲିକ୍ରେ ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କୁ ସେ ସହଯୋଗର ହାତ ବଢ଼ାଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ସହ ସେମାନଙ୍କ ମାନସିକ ସ୍ଥିତି ସୁଦୃଢ଼ ରଖିବାପାଇଁ ମଧ୍ୟ ବେଶ୍ ଚେଷ୍ଟା ଜାରି ରଖିଛନ୍ତି।
ନୋବେଲ୍ ଶାନ୍ତି ପୁରସ୍କାର ଜିତିଥିବା ୨୫ ବର୍ଷୀୟା ନଦିୟା ମୁରାଦ୍ ଇରାକ୍ର ୟାଜିଦି ସମ୍ପ୍ରଦାୟର ଜଣେ ମାନବିକ ଅଧିକାର କର୍ମୀ। ୨୦୧୪ ମସିହାରେ ତାଙ୍କୁ ଆଇଏସ୍ ଆତଙ୍କବାଦୀମାନେ ଅପହରଣ କରିନେଇ ପାଖାପାଖି ୩ ମାସ ପର୍ଯ୍ୟନ୍ତ ଯୌନ ଦାସୀ ଭାବେ ରଖି ଦୁଷ୍କର୍ମ କରିଥିଲେ। କୌଶଳ କ୍ରମେ ସେ ଖସି ଆସିବାପରେ ନିଜ ସହ ଘଟିଥିବା ଅଘଟଣ ବିଷୟରେ ମୁହଁ ଖୋଲିଥିଲେ। ଏହାପରଠାରୁ ସେ ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। ଇରାକ୍ରେ ସଂଖ୍ୟାଲଘୁ, ଶରଣାର୍ଥୀ ଏବଂ ମହିଳା ଅଧିକାର ପାଇଁ ଲଢ଼େଇ କରୁଛନ୍ତି।