ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମଦ ଅଲିଙ୍କୁ ନୋବେଲ ଶାନ୍ତି ପୁରସ୍କାର

ଓସ୍‌ଲୋ : ଚଳିତ ବର୍ଷର ନୋବେଲ ଶନ୍ତି ପୁରସ୍କାର ଇଥିଓପିଆର ପ୍ରଧାନମନ୍ତ୍ରୀ ଅବି ଅହମଦ ଅଲିଙ୍କୁ ପ୍ରଦାନ କରାଯିବ। ପଡ଼ୋଶୀ ରାଷ୍ଟ୍ର ଇରିଟ୍ରିଆ ସହ ସୀମା ବିବାଦର ସମାଧାନ ପାଇଁ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିବାରୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି ଆଜି ନୋବେଲ ଏକାଡେମି ଘୋଷଣା କରିଛି।

ଇଥିଓପିଆ ଏବଂ ଇରିଟ୍ରିଆ ମଧ୍ୟରେ ଦୀର୍ଘ ବର୍ଷ ଧରି ସୀମାକୁ ନେଇ ଶତ୍ରୁତା ଲାଗି ରହିଥିଲା। ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇଥିଲା। ଅବି ଅହମଦଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଗତବର୍ଷ ଜୁଲାଇରେ ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ସ୍ଥାପନ ସମ୍ଭବ ହୋଇପାରିଛି। ଏଥିପାଇଁ ତାଙ୍କୁ ଇଥିଓପିଆର ‘ନେଲ୍‌ସନ ମଣ୍ଡେଲା’ ବୋଲି ମଧ୍ୟ କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୨୦୧୮ରେ ଅବି ଅହମଦ ଇଥିଓପିଆର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଏବଂ ମାତ୍ର ୧୦୦ ଦିନ ଭିତରେ ଦେଶରୁ ଜରୁରୀ ପରିସ୍ଥିତି ହଟାଇ ସମସ୍ତ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରିଥିଲେ।

ଓସ୍‌ଲୋରେ ଆସନ୍ତା ଡିସେମ୍ବର ୧୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ ୪୩ ବର୍ଷୀୟ ଅବି ଅହମଦ ନୋବେଲ ଶାନ୍ତି ପୁରସ୍କାର ଗ୍ରହଣ କରିବେ।

ସମ୍ବନ୍ଧିତ ଖବର