ଷ୍ଟକ୍‌ହୋମ୍: ନରୱେର ନୋବେଲ କମିଟି ଶୁକ୍ରବାର ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରିଛି। ଭେନେଜୁଏଲାର ଲୋକଙ୍କ ପାଇଁ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଏକଚ୍ଛତ୍ରବାଦରୁ ଗଣତନ୍ତ୍ରକୁ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ ହାସଲ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ମାରିଆ କୋରିନା ମାଚାଡୋଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କମିଟି ଏହାର 
ଘୋଷଣାରେ କହିଛି ଯେ, ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ଜଣେ ସାହସୀ ଓ ପ୍ରତିବଦ୍ଧ ଶାନ୍ତିର ନାୟକଙ୍କୁ ଦିଆଯାଏ। ମାଚୋଡ଼ୋ ଜଣେ ମହିଳା ଯିଏ ବଢୁଥିବା ଅନ୍ଧକାର ମଧ୍ୟରେ ଗଣତନ୍ତ୍ରର ଦୀପଶିଖା ଜଳାଇଛନ୍ତି। ନୋବେଲ ଶାନ୍ତି ପୁରସ୍କାର ସଂଗଠନ ଅନୁଯାୟୀ, ଆଲଫ୍ରେଡ୍ ନୋବେଲଙ୍କ ଇଚ୍ଛାପତ୍ରରେ କୁହାଯାଇଛି ଯେ ଏହି ପୁରସ୍କାର ସେହି ବ୍ୟକ୍ତିଙ୍କୁ ଦିଆଯିବ ଯିଏ ଶାନ୍ତିକୁ ପ୍ରୋତ୍ସାହନ ଦେବା ପାଇଁ ସର୍ବାଧିକ ବା ସର୍ବୋତ୍ତମ କାର୍ଯ୍ୟ କରିଥିବେ।

Advertisment

ନୋବେଲ ଶାନ୍ତି ପୁରସ୍କାର କମିଟିର ସଚିବଙ୍କ ସହ ବାର୍ତ୍ତାଳାପରେ ମାଚାଡୋ କହିଛନ୍ତି ଯେ ଏହା ତାଙ୍କର ସମଗ୍ର ଆନ୍ଦୋଳନ ପାଇଁ ଏକ ପୁରସ୍କାର। ଭେନେଜୁଏଲା ଗଣତନ୍ତ୍ର ଆନ୍ଦୋଳନର ନେତା ଭାବରେ ମାରିଆ କୋରିନା ମାଚାଡୋ ସାମ୍ପ୍ରତିକ ସମୟରେ ଲାଟିନ୍ ଆମେରିକାରେ ସାଧାରଣ ନାଗରିକଙ୍କ ସାହସର ଅନ୍ୟତମ ଅସାଧାରଣ ଉଦାହରଣ ହୋଇପାରିଛନ୍ତି। ସେ ବିରୋଧୀମାନଙ୍କୁ ଏକଜୁଟ କରି ମୁକ୍ତ ନିର୍ବାଚନ ଓ ପ୍ରତିନିଧିମୂଳକ ସରକାର ପାଇଁ ପ୍ରୟାସ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି କାଳଜୟୀ ସମ୍ମାନ ହାସଲ କରିବାକୁ ଆଗ୍ରହୀ ଥିଲେ। ସେ ଅନେକ ଥର ଦାବି କରିଥିଲେ ଯେ ସେ ଅନେକ ଯୁଦ୍ଧ ବନ୍ଦ କରିଛନ୍ତି ଏବଂ ପୁରସ୍କାର ପାଇବାକୁ ଯୋଗ୍ୟ। ଟ୍ରମ୍ପଙ୍କୁ ପଛରେ ପକାଇ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ଜିତିଥିବା ଲାଟିନ୍ ଆମେରିକୀୟ ମାରିଆ ଭେନେଜୁଏଲାକୁ ଏକ ଗଣତାନ୍ତ୍ରିକ ଓ ସମୃଦ୍ଧ ଦେଶରେ ପରିଣତ କରିବାକୁ ସଂଘର୍ଷରତ। ଏହି ଦେଶ ବର୍ତ୍ତମାନ ମାନବିକ ଓ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ଅଧିକାଂଶ ଭେନେଜୁଏଲାବାସୀ ଘୋର ଦାରିଦ୍ର୍ୟ ମଧ୍ୟରେ ବାସ କରୁଥିବାବେଳେ ଶୀର୍ଷରେ ଥିବା ଅଳ୍ପ କିଛି ଲୋକ ନିଜକୁ ସମୃଦ୍ଧ କରିଛନ୍ତି।

ରାଜ୍ୟ ନିଜ ନାଗରିକଙ୍କ ବିରୋଧରେ ହିଂସା କରୁଛି ଏବଂ ପ୍ରାୟ ୮ ନିୟୁତ ଲୋକ ଦେଶ ଛାଡି ପଳାୟନ କରିଛନ୍ତି। ନିର୍ବାଚନ ରିଗିଂ, ଆଇନଗତ ମକଦ୍ଦମା ଓ କାରାଦଣ୍ଡ ମାଧ୍ୟମରେ ବିରୋଧୀଙ୍କୁ ବ୍ୟବସ୍ଥିତ ଭାବରେ ଦମନ କରାଯାଇଛି। ଗଣତାନ୍ତ୍ରିକ ବିକାଶ ପାଇଁ ଉତ୍ସର୍ଗୀକୃତ ଏକ ସଂଗଠନ ସୁମେଟର ପ୍ରତିଷ୍ଠାତା  ମାଚାଡୋ ୨୦ ବର୍ଷରୁ ଅଧିକ ସମୟ ପୂର୍ବେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଛିଡ଼ା ହୋଇଥିଲେ ଏବଂ ତାଙ୍କ ସଂଘର୍ଷ ଜାରି ରହିଛି। ତାଙ୍କ କ୍ୟାରିୟରରେ ସେ ନ୍ୟାୟିକ ସ୍ୱାଧୀନତା, ମାନବିକ ଅଧିକାର ଓ ଲୋକପ୍ରିୟ ପ୍ରତିନିଧିତ୍ୱ ପାଇଁ ଲଢ଼ିଥିଲେ। ସେ ଭେନେଜୁଏଲାର ଲୋକଙ୍କ ସ୍ୱାଧୀନତା ପାଇଁ ବର୍ଷ ବର୍ଷ ଉତ୍ସର୍ଗ କରିଥିଲେ। ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ,  ମାଚାଡୋଙ୍କୁ ଶାସନକଳ ଦ୍ୱାରା ନିର୍ବାଚନ ଲଢ଼ିବାକୁ ବାରଣ କରାଯାଇଥିଲା। ଏହା ପରେ ସେ ଅନ୍ୟ ଜଣେ ବିରୋଧୀ ପ୍ରାର୍ଥୀ ଏଡମୁଣ୍ଡୋ ଗୋଞ୍ଜାଲେଜ୍ ଉରୁଟିଆଙ୍କୁ ସମର୍ଥନ କରିଥିଲେ, ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ କାର୍ଯ୍ୟ କରିବା ପାଇଁ ଲକ୍ଷ ଲକ୍ଷ ସ୍ୱେଚ୍ଛାସେବୀଙ୍କୁ ଏକତ୍ରିତ କରିଥିଲେ। ଗିରଫଦାରୀ ଓ ନିର୍ଯାତନାର ଆଶଙ୍କା ସତ୍ତ୍ବେ ନାଗରିକମାନେ ଭୋଟ୍ ଗଣନା ନିରପେକ୍ଷ ହେବା ପାଇଁ ମତଦାନ କେନ୍ଦ୍ର ଉପରେ ନଜର ରଖିଥିଲେ। ଯଦିଓ ଆନ୍ତର୍ଜାତୀୟ ପର୍ଯ୍ୟବେକ୍ଷକମାନେ ନିଶ୍ଚିତ କରିଛନ୍ତି ଯେ ବିରୋଧୀମାନେ ସ୍ପଷ୍ଟ ବ୍ୟବଧାନରେ ଜିତିଛନ୍ତି, ତଥାପି କ୍ଷମତାସୀନ ଗୋଷ୍ଠୀ ଫଳାଫଳକୁ ଗ୍ରହଣ କରିବାକୁ ମନା କରିଦେଇଛି।

‘ମୁଁ ଟ୍ରମ୍ପଙ୍କୁ ନୋବେଲ ଉତ୍ସର୍ଗ କରୁଛି’

ୱାସିଂଟନ: ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ମାରିଆ କୋରିନା ମାଚାଡୋ ନୋବେଲ ଶାନ୍ତି ପୁରସ୍କାର ୨୦୨୫ ହାସଲ କରିବା ସହ ଡୋନାଲ୍ଡ ଟ୍ରମ୍ପଙ୍କ ପୁରସ୍କାର  ସ୍ୱପ୍ନକୁ ସମାପ୍ତ କରିଛନ୍ତି। ତେବେ ପୁରସ୍କାର ହାସଲ ପରେ  ମାରିଆ  କହିଛନ୍ତି ବିଶ୍ବରେ ପୀଡ଼ିତ ଲୋକଙ୍କ ସମର୍ଥନରେ ଟ୍ରମ୍ପ ବ୍ୟାପକ ପ୍ରୟାସ ଜାରି ରଖିଛନ୍ତି ଏବଂ ଏହା ପ୍ରଶଂସନୀୟ।  ସମସ୍ତ ଭେନେଜୁଏଲାବାସୀଙ୍କ ସଂଗ୍ରାମର ଏହି ସ୍ୱୀକୃତି ଆମର କାର୍ଯ୍ୟ ଶେଷ କରିବା ପାଇଁ ଏକ ପ୍ରେରଣା ବୋଲି ସେ କହିଛନ୍ତି।  ଏହି ସଂଘର୍ଷରେ ସେ ଆମେରିକାର ସହାୟତା ଲୋଡ଼ି କହିଛନ୍ତି,  ଆମେ ବିଜୟର ଦ୍ୱାରଦେଶରେ ଅଛୁ ଏବଂ  ଆମେ ରାଷ୍ଟ୍ରପତି ଟ୍ରମ୍ପ, ଆମେରିକାର ଜନସାଧାରଣ, ଲାଟିନ୍ ଆମେରିକାର ବାସିନ୍ଦା ଏବଂ ବିଶ୍ୱର ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କ ସହଯୋଗ ଚାହୁଛୁ। ସେ କହିଛନ୍ତି, ‘ମୁଁ ଏହି ପୁରସ୍କାରକୁ ଭେନେଜୁଏଲାର ପୀଡିତ ଜନତା ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଉତ୍ସର୍ଗ କରୁଛି।’