ଜାତିସଂଘର ‘ବିଶ୍ୱ ଖାଦ୍ୟ ଯୋଜନା’କୁ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ : ବିଶ୍ବବ୍ୟାପୀ ଅନାହାର ଓ ମରୁଡ଼ି ବିରୋଧୀ ଲଢ଼େଇରେ ଉଲ୍ଲେଖନୀୟ ଅବଦାନ ରହିଥିବା ଜାତିସଂଘର ‘ବିଶ୍ବ ଖାଦ୍ୟ ଯୋଜନା’ ବା ଡବ୍ଲ୍ୟୁଏଫ୍‌ପିକୁ ଚଳିତବର୍ଷର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ଅନାହାର ବିରୋଧରେ ଲଢ଼େଇ କରିବା ସହ ସଂଘର୍ଷ ପ୍ରଭାବିତ ଅଞ୍ଚଳରେ ଶାନ୍ତି ପାଇଁ ପରିସ୍ଥିତିରେ ସୁଧାର ଆଣିବା ଦିଗରେ ଶକ୍ତି ସାଜିଥିବା ଡବ୍ଲ୍ୟୁଏଫ୍‌ପିକୁ ଏହି ବିରଳ ସମ୍ମାନ ପ୍ରଦାନ କରାଯାଇଛି ବୋଲି ଚୟନ କମିଟି ପକ୍ଷରୁ କୁହାଯାଇଛି।

ସମଗ୍ର ବିଶ୍ବରେ ଅନାହାର ଦୂରୀକରଣ ସହ ଖାଦ୍ୟସୁରକ୍ଷାକୁ ପ୍ରୋତ୍ସାହିତ କରୁଥିବା ଜାତିସଂଘର ଏହି ସଂଗଠନ ବିଶ୍ବର ସବୁଠୁ ବଡ଼ ମାନବକଲ୍ୟାଣ ସଂସ୍ଥାର ମାନ୍ୟତା ରଖିଛି। ୨୦୧୯ ମସିହାରେ ଏହା ଉତ୍କଟ ଖାଦ୍ୟାଭାବରେ ସନ୍ତୁଳି ହେଉଥିବା ୮୮ଟି ଦେଶର ପ୍ରାୟ ୧୦ କୋଟି ଲୋକଙ୍କୁ ସହାୟତା ପ୍ରଦାନ କରିଛି। ଇଟାଲିର ରୋମ୍‌ରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି। ଚଳିତବର୍ଷ ମହାମାରୀ କୋଭିଡ୍‌-୧୯ ଯୋଗୁଁ ଅନାହାର ଭୋଗୁଥିବା କୋଟି କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିବା ସହ ଆଗକୁ ମଧ୍ୟ ତାହା ଜାରି ରଖିବାକୁ ଡବ୍ଲୁଏଫ୍‌ପି ଲକ୍ଷ୍ୟ ରଖିଛି। ତେଣୁ ଏପରି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଚୟନ କରିବା ଦ୍ବାରା ବିଶ୍ବରେ ଅନାହାର ଓ ଖାଦ୍ୟାଭାବର ଶିକାର ହେଉଥିବା କୋଟି କୋଟି ଲୋକଙ୍କ ପ୍ରତି ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇପାରିବ ବୋଲି ନୋବେଲ ପୁରସ୍କାର କମିଟି ଅଧ୍ୟକ୍ଷ ବେରିଟ ରିସ୍‌ ଆଣ୍ଡରସନ୍‌ ପୁରସ୍କାର ଘୋଷଣା କରିବା ଅବସରରେ କହିଛନ୍ତି। ସେହିପରି ଏହା ଦ୍ବାରା ଶାନ୍ତି ଓ ଅନାହାର ଶୂନ୍ୟତା ହାତ ଧରାଧରି ହୋଇ ଚାଲିବା ଉଚିତ ବୋଲି ଏକ ଧାରଣା ସମଗ୍ର ବିଶ୍ବକୁ ଜଣାଇ ଦିଆଯାଇପାରିଛି ବୋଲି ଆଣ୍ଡରସନ୍‌ ଟ୍ବିଟ୍‌ କରି କହିଛନ୍ତି।

ସମ୍ବନ୍ଧିତ ଖବର