ଷ୍ଟକ୍ହୋମ୍: ରସାୟନ ବିଜ୍ଞାନରେ ୨୦୨୫ ମସିହାର ନୋବେଲ୍ ପୁରସ୍କାର ଜାପାନର କ୍ୟୋତୋ ବିଶ୍ୱବିଦ୍ୟାଳୟର ସୁସୁମୁ କିତାଗାୱା, ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟର ରିଚାର୍ଡ ରୋବସନ୍ ଓ ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଓମାର ଏମ୍ ୟାଘିଙ୍କୁ ମିଳିତ ଭାବରେ ପ୍ରଦାନ କରାଯାଇଛି। ମେଟାଲ୍-ଅର୍ଗାନିକ୍ ଫ୍ରେମ୍ୱାର୍କସ (ଏମ୍ଓଏଫ୍) ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ରୟାଲ ସ୍ୱିଡିସ୍ ଏକାଡେମି ଅଫ୍ ସାଇନ୍ସେସ୍ ଘୋଷଣା କରିଛି ଯେ, ଏହି ତିନିଜଣଙ୍କୁ ‘ଧାତବ-ଜୈବିକ ଢାଞ୍ଚାର ବିକାଶ ପାଇଁ’ ସମ୍ମାନିତ କରାଯାଉଛି। ସେମାନେ ଧାତୁର ଆୟନକୁ ଜୈବିକ ଅଣୁ ସହିତ ସଂଯୋଗ କରି ଅତ୍ୟଧିକ ଛିଦ୍ରଯୁକ୍ତ ସଂରଚନା ଗଠନ କରିବାରେ ସଫଳ ହୋଇଛନ୍ତି। ଏହି ନାନୋସ୍କୋପିକ ଢାଞ୍ଚା ଗ୍ୟାସ୍ ଓ ଅଣୁଗୁଡ଼ିକୁ ଆୟତ୍ତ କରିବା ସହ ସଂରକ୍ଷଣ କରିବାରେ ସାହାଯ୍ୟ କରିବ, ଯାହା ବିଶ୍ୱ ସ୍ଥିରତା ଆହ୍ୱାନର ମୁକାବିଲା କରିବାରେ ବ୍ୟାପକ ସମ୍ଭାବନା ପ୍ରଦାନ କରିଥାଏ।
ଏମ୍ଓଏଫ୍ଗୁଡ଼ିକ କାର୍ବନ୍ ଡାଇଅକ୍ସାଇଡ୍, ମିଥେନ୍ ଏପରିକି ଜଳୀୟ ବାଷ୍ପ ପରି ଗ୍ୟାସ୍କୁ ଢାଞ୍ଚାର କ୍ଷୁଦ୍ର କଣା ଦେଇ ଭିତରକୁ ଓ ବାହାରକୁ ପ୍ରବାହିତ କରିବାରେ ସକ୍ଷମ କରନ୍ତି। ରସାୟନ ବିଜ୍ଞାନ ପାଇଁ ନୋବେଲ୍ କମିଟିର ଅଧ୍ୟକ୍ଷ ହେନର୍ ଲିଙ୍କଙ୍କ ଅନୁଯାୟୀ, ଧାତବ-ଜୈବିକ ଢାଞ୍ଚାର ବିପୁଳ ସମ୍ଭାବନା ଅଛି, ଯାହା ନୂତନ କାର୍ଯ୍ୟ ସହିତ କଷ୍ଟମ୍-ନିର୍ମିତ ସାମଗ୍ରୀ ପାଇଁ ଅପ୍ରତ୍ୟାଶିତ ସୁଯୋଗ ଆଣି ଦେଇଥାଏ। ପ୍ରାରମ୍ଭିକ ଉଦ୍ଭାବନ ପରଠାରୁ ରସାୟନ ବିଜ୍ଞାନୀମାନେ ହଜାର ହଜାର ଏମ୍ଓଏଫ୍କୁ ସଂଶ୍ଳେଷଣ କରି ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ କରିଛନ୍ତି।