ଷ୍ଟକ୍‌ହୋମ୍‌: ପ୍ରୋଟିନ୍ ଗଠନର ପୂର୍ବାନୁମାନ ନିମନ୍ତେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାର ପାଇଁ ଡେଭିଡ୍ ବେକର, ଡେମିସ୍ ହାସାବିସ୍ ଏବଂ ଜନ୍ ଏମ୍ ଜମ୍ପରଙ୍କୁ ରୟାଲ ସୁଇଡିଶ ଏକାଡେମି ଅଫ୍ ସାଇନ୍ସ ଦ୍ୱାରା ରସାୟନବିଜ୍ଞାନରେ ନୋବେଲ ପୁରସ୍କାର ଦିଆଯିବ। ଏହି ସମ୍ମାନଜନକ ପୁରସ୍କାରର ମୂଲ୍ୟ ୧୧ ନିୟୁତ ସୁଇଡିଶ କ୍ରାଉନ ବା ୧.୧ ନିୟୁତ ଆମେରିକୀୟ ଡଲାର। ଅଧା ପୁରସ୍କାର ବେକରଙ୍କୁ ‘କମ୍ପ୍ୟୁଟେସନଲ୍ ପ୍ରୋଟିନ୍ ଡିଜାଇନ୍’ ପାଇଁ ପ୍ରଦାନ କରାଯାଇଥିବା ବେଳେ ବାକି ଅଧା ‘ପ୍ରୋଟିନ୍ ଗଠନର ପୂର୍ବାନୁମାନ’ ପାଇଁ ହାସାବିସ୍ ଓ ଜମ୍ପରଙ୍କୁ ପ୍ରଦାନ କରାଯାଇଛି ବୋଲି ଏକାଡେମି କହିଛି। ଚଳିତ ବର୍ଷ ଯେଉଁ ଆବିଷ୍କାରକୁ ସ୍ୱୀକୃତି ମିଳିଛି ସେଥିମଧ୍ୟରୁ ଗୋଟିଏ ହେଉଛି ଚମତ୍କାର ପ୍ରୋଟିନ୍ ନିର୍ମାଣ। ଅନ୍ୟଟି ହେଉଛି ୫୦ ବର୍ଷର ସ୍ୱପ୍ନ ପୂରଣ - ଆମିନୋ ଏସିଡ୍ ସିକ୍ୱେନ୍ସରୁ ପ୍ରୋଟିନ୍ ଗଠନର ପୂର୍ବାନୁମାନ କରିବା।

Advertisment

ବେକର ସିଏଟଲସ୍ଥିତ ୱାସିଂଟନ ବିଶ୍ୱବିଦ୍ୟାଳୟରେ କାମ କରୁଥିବା ବେଳେ ହାସାବିସ୍ ଓ ଜମ୍ପର ଦୁହେଁ ଲଣ୍ଡନର ଗୁଗଲ ଡିପ୍ ମାଇଣ୍ଡରେ କାମ କରନ୍ତି। ରୟାଲ ସୁଇଡିସ ଏକାଡେମି ଅଫ୍ ସାଇନ୍ସର ମହାସଚିବ ହାନ୍ସ ଏଲିଗ୍ରେନ୍ ପୁରସ୍କାର ଘୋଷଣା କରିଛନ୍ତି। ନୋବେଲ କମିଟି କହିଛି ଯେ, ୨୦୦୩ ମସିହାରେ ବେକର ଏକ ନୂଆ ପ୍ରୋଟିନ୍ ଡିଜାଇନ୍ କରିଥିଲେ ଏବଂ ସେବେଠାରୁ ତାଙ୍କ ଗବେଷଣା ଦଳ ଗୋଟିଏ ପରେ ଗୋଟିଏ କଳ୍ପନାତ୍ମକ ପ୍ରୋଟିନ୍ ସୃଷ୍ଟି କରିଛନ୍ତି, ଯାହାକୁ ଔଷଧ, ଟିକା, ନାନୋକଣିକା ଓ କ୍ଷୁଦ୍ର ସେନ୍ସରରେ ବ୍ୟବହାର କରାଯାଇପାରିବ। ହାସାବିସ୍ ଓ ଜମ୍ପର ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଡେଲ ତିଆରି କରିଛନ୍ତି ଯାହା ଗବେଷକମାନେ ଚିହ୍ନଟ କରିଥିବା ପ୍ରାୟ ସମସ୍ତ ୨୦୦ ନିୟୁତ ପ୍ରୋଟିନ ଗଠନର ପୂର୍ବାନୁମାନ କରିବାରେ ସକ୍ଷମ ହୋଇଛି। ୨୦୨୪ ନୋବେଲ ପୁରସ୍କାର ପାଇଁ ଗତ ସୋମବାରଠାରୁ ଘୋଷଣା ଆରମ୍ଭ ହୋଇଛି ଏବଂ ଭିକ୍ଟର ଆମ୍ବ୍ରୋସ୍ ଓ ଗ୍ୟାରି ରୁଭକୁନ୍ ମେଡିସିନ୍ ପୁରସ୍କାର ଜିତିଛନ୍ତି। ମେସିନ୍ ଲର୍ଣ୍ଣିଂର ଦୁଇ ପ୍ରତିଷ୍ଠାତା ଜନ୍ ହପ୍‌ଫିଲ୍ଡ ଓ ଜେଫ୍ରି ହିଣ୍ଟନ୍ ପଦାର୍ଥବିଜ୍ଞାନ ପୁରସ୍କାର ଜିତିଛନ୍ତି। ଗୁରୁବାର ସାହିତ୍ୟ ପୁରସ୍କାର, ଶୁକ୍ରବାର ନୋବେଲ ଶାନ୍ତି ପୁରସ୍କାର ଏବଂ ଅକ୍ଟୋବର ୧୪ରେ ଅର୍ଥନୀତି ପୁରସ୍କାର ଘୋଷଣା କରାଯିବ।