ଷ୍ଟକ୍ହୋମ୍: କାଟାଲିନ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କୁ ୨୦୨୩ ପାଇଁ ଭେଷଜରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ସେମାନଙ୍କ ଗବେଷଣା କୋଭିଡ୍-୧୯ରୁ ସୁରକ୍ଷା ନିମନ୍ତେ ପ୍ରଭାବଶାଳୀ ଏମ୍ଆର୍ଏନ୍ଏ (mRNA) ପ୍ରତିଷେଧକ ଟିକା ପ୍ରସ୍ତୁତିରେ ସାହାଯ୍ୟ କରିଥିବାରୁ ସେମାନଙ୍କୁ ଏହି ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି। ହଙ୍ଗେରୀର ସୋଲନୋକଠାରେ ୧୯୫୫ରେ ଜନ୍ମିତ କାଟାଲିନ କାରିକୋ ସେଜେଡ ୟୁନିଭର୍ସିଟିର ପ୍ରଫେସର ଏବଂ ପେନସିଲଭାନିଆ ବିଶ୍ବବିଦ୍ୟାଳୟ ଅଧୀନ ପେରେଲମ୍ୟାନ ସ୍କୁଲ୍ ଅଫ୍ ମେଡିସିନର ଯୁଗ୍ମ ପ୍ରଫେସର ଅଛନ୍ତି। ସେହିପରି ଡ୍ରିଉ ୱିସମ୍ୟାନ ଭ୍ୟାକ୍ସିନ ରିସର୍ଚ୍ଚରେ ରବର୍ଟସ ଫ୍ୟାମିଲି ପ୍ରଫେସର ତଥା ପେନ ଇନ୍ଷ୍ଟିଚ୍ୟୁଟ୍ ଫର୍ ଆର୍ଏନ୍ଏ ଇନୋଭେସନ୍ସର ନିର୍ଦ୍ଦେଶକ ଅଛନ୍ତି।
ଜୀବକୋଷ ବାହାରେ ଜୈବିକ ପଦ୍ଧତିରେ ଡେଣ୍ଡ୍ରାଇଟିସ୍ କୋଷଗୁଡିକ ଦ୍ୱାରା ଉତ୍ପାଦିତ ଏମ୍ଆର୍ଏନ୍ଏକୁ ଏକ ବାହାର ବସ୍ତୁ ଭାବରେ ଦେଖାଯାଏ, ଯାହା କୋଷଗୁଡ଼ିକୁ ସକ୍ରିୟ କରି ପ୍ରଦାହୀ ସଂକେତପ୍ରଦାନକାରୀ ଅଣୁଗୁଡିକୁ ମୁକ୍ତ କରିଥାଏ। କାରିକୋ ଏବଂ ୱିସମ୍ୟାନଙ୍କ ଦ୍ବାରା ଏହି ତଥ୍ୟ ଆବିଷ୍କୃତ ହୋଇଥିଲା। କାରିକୋ ଏବଂ ୱିସମ୍ୟାନ୍ ୨୦୦୮ ଓ ୨୦୧୦ରେ ଉପସ୍ଥାପିତ ଗବେଷଣା ରିପୋର୍ଟରେ ଦର୍ଶାଇଥିଲେ ଯେ ମୌଳିକ ପରିବର୍ତ୍ତନ ସହିତ ଉତ୍ପାଦିତ ଏମ୍ଆର୍ଏନ୍ଏ ଅଣବିବର୍ତ୍ତିତ ଏମ୍ଆର୍ଏନ୍ଏ ତୁଳନାରେ ପ୍ରୋଟିନ୍ ସିନ୍ଥେସିସ୍କୁ ଯଥେଷ୍ଟ ବୃଦ୍ଧି କରିଥାଏ। କାରିକୋ ଏବଂ ୱିସମ୍ୟାନ୍ ଜଣାଇଦେଇଥିଲେ ଯେ, ଯେ ଏହି ମୂଳ ପରିବର୍ତ୍ତନ ଉଭୟ ପ୍ରଦାହଜନକ ପ୍ରତିକ୍ରିୟା ହ୍ରାସ କରେ ଏବଂ ପ୍ରୋଟିନ୍ ଉତ୍ପାଦନ ବୃଦ୍ଧି କରେ। ଏହାଦ୍ବାରା ସେମାନେ ଏମ୍ଆର୍ଏନ୍ଏର କ୍ଲିନିକାଲ୍ ପ୍ରୟୋଗ ପଥରେ ଥିବା ବାଧାକୁ ଦୂର କରିଥିଲେ। ସେମାନଙ୍କର ଏହି ମୌଳିକ ଆବିଷ୍କାର ଯୋଗୁ ଏମ୍ଆର୍ଏନ୍ଏ ଟିକା ବିକାଶ ସମ୍ଭବ ହୋଇଥିବାରୁ ସେମାନଙ୍କୁ ଭେଷଜରେ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି।