ଷ୍ଟକ୍‌ହୋମ୍: ହଙ୍ଗେରୀର ପ୍ରଖ୍ୟାତ ଔପନ୍ୟାସିକ ଲାସ୍‌ଲୋ କ୍ରାସ୍‌ନାହୋର୍କାଇ ସାହିତ୍ୟରେ ୨୦୨୫ ମସିହାର ନୋବେଲ୍‌ ପୁରସ୍କାର ଜିତିଛନ୍ତି। ମୂଲ୍ୟବୋଧଯୁକ୍ତ କାଳଜୟୀ ସାହିତ୍ୟକୃତି ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ୧୯୫୪ ମସିହାରେ ହଙ୍ଗେରୀର ଗ୍ୟୁଲାରେ ଜନ୍ମଗ୍ରହଣ କରିଥିବା କ୍ରାସ୍‌ନାହୋର୍କାଇ ଯୁଦ୍ଧ ପରବର୍ତ୍ତୀ ୟୁରୋପର ଦୟନୀୟ ଅବସ୍ଥା ଓ ରାଜନୈତିକ ଅବକ୍ଷୟ ଭିତରେ ତାଙ୍କର ସାହିତ୍ୟିକ ଜୀବନ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଉପନ୍ୟାସ ‘ସାଟାନଟାଙ୍ଗୋ’ (୧୯୮୫) ପାଠକମାନଙ୍କୁ ଏକ ଭିନ୍ନ ରଚନାଶୈଳୀ ସହିତ ପରିଚିତ କରାଇଥିଲା। ପରେ ବେଲା ଟାର୍‌ଙ୍କ ଦ୍ୱାରା ସାତ ଘଣ୍ଟାର ଚଳଚ୍ଚିତ୍ରରେ ରୂପାନ୍ତରିତ ହୋଇଥିବା ଏହି ଚର୍ଚ୍ଚିତ ଉପନ୍ୟାସଟି ଏକ ସଂସ୍କୃତି ମାଷ୍ଟର୍‌ପିସ୍ ହୋଇଗଲା। କ୍ରାସନାହୋର୍କାଇଙ୍କ ଦୁନିଆ ହେଉଛି ପ୍ରଳୟ ଓ ସ୍ଥିରତାର ଦୁନିଆ। ତାଙ୍କ ଚରିତ୍ରଗୁଡ଼ିକ ଅବକ୍ଷୟ ଓ ଅନ୍ଧକାରରେ ଭିଜା ଦୃଶ୍ୟ ଦେଇ ଝୁଣ୍ଟି ପଡ଼ନ୍ତି, ତଥାପି ଆଶା ଓ ସମ୍ଭାବନା ସତ୍ତାକୁ ସେ କେବେ ହରାଇ ନାହାନ୍ତି। ନୋବେଲ ପୁରସ୍କାର କମିଟି ତାଙ୍କ ରଚନାକୁ ‘ବିଧ୍ବଂସର ଭୟଙ୍କରତା ମଧ୍ୟରେ କଳାର ଶକ୍ତିକୁ ପୁନଃପ୍ରତିଷ୍ଠା କରୁଥିବା ଆକର୍ଷଣୀୟ ଓ ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟ’ ବୋଲି  କହି ପ୍ରଶଂସା କରିଛି।  
Advertisment
୧୯୮୯ରେ ପ୍ରକାଶିତ ଉପନ୍ୟାସ ‘ଦି ମେଲାନକୋଲି ଅଫ୍ ରେଜିଷ୍ଟାନ୍ସ’କୁ ପ୍ରାୟତଃ କ୍ରାସ୍‌ନାହୋର୍କାଇଙ୍କ ଶ୍ରେଷ୍ଠ କୃତି ଭାବରେ ଦେଖାଯାଏ। ତାଙ୍କ ଲେଖାଗୁଡ଼ିକ ଅବିସ୍ମରଣୀୟ, ଏକ ଲୟବଦ୍ଧ ପ୍ରବାହ, ଯାହା ପାରମ୍ପରିକ ବିରାମଚିହ୍ନକୁ ଅସ୍ୱୀକାର କରେ ଏବଂ ପାଠକମାନଙ୍କୁ ଚିନ୍ତାଧାରାର ଗୋଲକଧନ୍ଦାକୁ ଆମନ୍ତ୍ରଣ କରେ। ତାଙ୍କର ବାକ୍ୟଗୁଡ଼ିକ ବେଳେବେଳେ ପୃଷ୍ଠା ପର୍ଯ୍ୟନ୍ତ ଲମ୍ବିଛି ଏବଂ ମାନବ ଚେତନାର ନିରବଚ୍ଛିନ୍ନତାକୁ ଅନୁକରଣ କରିଛି।  ‘ୱାର୍ ଆଣ୍ଡ୍ ୱାର୍’ (୧୯୯୯) ଓ ‘ବ୍ୟାରନ୍ ୱେଙ୍କହେମସ୍ ହୋମ୍‌କମିଂ’ (୨୦୧୬) ପରି ପୁସ୍ତକରେ କ୍ରାସନାହୋର୍କାଇ ସଭ୍ୟତାର ପତନ, ସତ୍ୟର ଭଙ୍ଗୁରତା, ସତ୍ୟୋପଲବ୍ଧି ଓ ପାଗଳାମି ମଧ୍ୟରେ ପତଳା ରେଖା ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ସୂଚନାଯୋଗ୍ୟ, କ୍ରାସ୍‌ନାହୋର୍କାଇ ୧୯୭୩ରୁ ୧୯୭୬ ପର୍ଯ୍ୟନ୍ତ ଜୋସେଫ୍ ଆଟିଲା ବିଶ୍ୱବିଦ୍ୟାଳୟରେ ଆଇନ ଏବଂ ୧୯୭୬ରୁ ୧୯୮୩ ପର୍ଯ୍ୟନ୍ତ ଏଓଟ୍‌ଭୋସ୍ ଲୋରାଣ୍ଡ୍ ବିଶ୍ୱବିଦ୍ୟାଳୟରେ ହଙ୍ଗେରୀୟ ଭାଷା ଓ ସାହିତ୍ୟ ଅଧ୍ୟୟନ କରିଥିଲେ। ତାଙ୍କ ରଚନାଗୁଡ଼ିକ ୩୦ରୁ ଅଧିକ ଭାଷାରେ ଅନୁବାଦିତ ହୋଇଥିବାବେଳେ ବିଶ୍ୱବ୍ୟାପୀ ପାଠକମାନଙ୍କ ଦ୍ବାରା ଆଦୃତ ହୋଇଛି।