ଷ୍ଟକ୍ହୋମ୍: ବୈଜ୍ଞାନିକ ମେରି ଇ ବ୍ରୁଙ୍କୋ, ଫ୍ରେଡ୍ ରାମସଡେଲ୍ ଓ ସିମୋନ୍ ସାକାଗୁଚିଙ୍କୁ ଚଳିତବର୍ଷ ଭେଷଜ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ବୈଜ୍ଞାନିକ ବ୍ରୁଙ୍କୋ ଏବଂ ରାମସଡେଲ୍ ଆମେରିକାର ହୋଇଥିବାବେଳେ ବୈଜ୍ଞାନିକ ସାକାଗୁଚି ହେଉଛନ୍ତି ଜାପାନର। ପେରିଫେରାଲ୍ ଇମ୍ୟୁନ୍ ସହନଶୀଳତା ସମ୍ବନ୍ଧୀୟ ଆବିଷ୍କାର ପାଇଁ ଏହି ବୈଜ୍ଞାନିକମାନଙ୍କୁ ୨୦୨୫ର ଭେଷଜ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବ ବୋଲି ପୁରସ୍କାର ପ୍ରଦାନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି। ଷ୍ଟକହୋମ୍ସ୍ଥିତ କାରୋଲିନ୍ସକା ଇନ୍ଷ୍ଟିଚ୍ୟୁଟ୍ର ଏକ ପ୍ୟାନେଲ୍ ଦ୍ୱାରା ଛଅଟି ପୁରସ୍କାର ସିରିଜ୍ ମଧ୍ୟରୁ ପ୍ରଥମେ ମେଡିସିନ୍ (ଭେଷଜ) ପାଇଁ ପୁରସ୍କାର ଘୋଷଣା କରାଯାଇଛି।
ନୋବେଲ୍ କମିଟି ସୋମବାର ଏକ ବିବୃତିରେ କହିଛି ଯେ ଏହି ୩ ଚିକିତ୍ସା ବିଜ୍ଞାନୀଙ୍କ ଆବିଷ୍କାର ଏକ ନୂତନ ଗବେଷଣା କ୍ଷେତ୍ର ପାଇଁ ମୂଳଦୁଆ ପକାଇଛି। ବିଶେଷ କରି କର୍କଟ ଓ ଅନ୍ୟ ଦୁରାରୋଗ୍ୟ ପାଇଁ ନୂତନ ଚିକିତ୍ସାର ବିକାଶକୁ ଉତ୍ସାହିତ କରିଛି। ମାଇକ୍ରୋ ଆର୍ଏନ୍ଏ ଆବିଷ୍କାର ପାଇଁ ଗତବର୍ଷ ଆମେରିକାର ଭିକ୍ଟର ଆମ୍ବ୍ରୋସ୍ ଓ ଗ୍ୟାରି ରୁଭକୁନ୍ ମିଳିତ ଭାବେ ଭେଷଜରେ ନୋବେଲ ପୁରସ୍କାର ପାଇଥିଲେ। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଅର୍ଥନୀତି, ସାହିତ୍ୟ ଓ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରତିବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯାଏ। ଏହି ପୁରସ୍କାରରେ ପ୍ରାୟ ୧.୨ ମିଲିୟନ୍ ଡଲାର ପୁରସ୍କାର ରାଶି ଓ ସମ୍ମାନ ଅନ୍ତର୍ଭୁକ୍ତ। ମଙ୍ଗଳବାର ପଦାର୍ଥ ବିଜ୍ଞାନ, ବୁଧବାର ରସାୟନ ବିଜ୍ଞାନ ଓ ଗୁରୁବାର ସାହିତ୍ୟ ପାଇଁ ନୋବେଲ୍ ଘୋଷଣା ହେବ। ନୋବେଲ୍ ଶାନ୍ତି ପୁରସ୍କାର ଶୁକ୍ରବାର ଘୋଷଣା କରାଯିବ ଏବଂ ଅର୍ଥନୀତି ନୋବେଲ୍ ପୁରସ୍କାର ଅକ୍ଟୋବର ୧୩ରେ ଘୋଷଣା କରାଯିବ। ଡିନାମାଇଟ୍ର ଉଦ୍ଭାବକ ତଥା ସ୍ୱିଡେନ୍ର ରସାୟନ ବିଜ୍ଞାନୀ ଉଦ୍ୟୋଗୀ ଆଲଫ୍ରେଡ୍ ନୋବେଲଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଡିସେମ୍ବର ୧୦ ତାରିଖରେ ଏହି ପୁରସ୍କାର ବିଜେତାଙ୍କୁ ପ୍ରଦାନ କରାଯିବ।