ତିନି ବୈଜ୍ଞାନିକଙ୍କୁ ପଦାର୍ଥବିଜ୍ଞାନରେ ନୋବେଲ୍‌

ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ରହିଥିବା ରହସ୍ୟମୟ କୃଷ୍ଣଗର୍ତ୍ତ ସମ୍ପର୍କରେ ନୂତନ ତଥ୍ୟ ଆବିଷ୍କାର କରିଥିବା ତିନି ଜଣ ବିଶିଷ୍ଟ ବୈଜ୍ଞାନିକ ପଦାର୍ଥବିଜ୍ଞାନରେ ଚଳିତବର୍ଷର ସମ୍ମାନଜନକ ନୋବେଲ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ୟୁକେର ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟର ରୋଜର ପେନ୍‌ରୋଜ୍‌, ଜର୍ମାନୀର ଗାର୍ଚିଂ ସ୍ଥିତ ମାକ୍ସ ପ୍ଲାଙ୍କ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଏକ୍ସଟ୍ରାଟେରେଷ୍ଟ୍ରିଆଲ୍‌ ଫିଜିକ୍‌ସର ରେନ୍‌ହାର୍ଡ ଗେଞ୍ଜେଲ୍‌ ଏବଂ ଆମେରିକାର ବର୍କଲେ ସ୍ଥିତ କାଲିଫର୍ଣ୍ଣିଆ ବିଶ୍ବ ବିଦ୍ୟାଳୟର ଆଣ୍ଡ୍ରି ଘେଜ୍‌। ପୁରସ୍କାର ସ୍ବରୂପ ସେମାନଙ୍କୁ ଏକ କୋଟି କ୍ରୋନର(ସ୍ବେଡେନ୍‌ ମୁଦ୍ରା) ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରୁ ‘କୃଷ୍ଣଗର୍ତ୍ତ ସୃଷ୍ଟି ସାର୍ବଜନୀନ ଆପେକ୍ଷିକ ତତ୍ତ୍ବର ଏକ ବଳିଷ୍ଠ ଭବିଷ୍ୟବାଣୀ’ ବୋଲି ଆବିଷ୍କାର କରିଥିବା ପେନ୍‌ରୋଜ୍‌ଙ୍କୁ ପୁରସ୍କାର ରାଶିର ଅର୍ଦ୍ଧେକ ଅର୍ଥାତ୍‌ ୫୦ ଲକ୍ଷ କ୍ରୋନର ମିଳିବାକୁ ଥିବା ବେଳେ ‘ଆମ ଛାୟାପଥ ଆକାଶଗଙ୍ଗାର କେନ୍ଦ୍ରସ୍ଥଳରେ ଏକ ବିଶାଳକାୟ ସାନ୍ଦ୍ର ବସ୍ତୁ ରହିଛି’ ବୋଲି ଆବିଷ୍କାର କରିଥିବା ଗେଞ୍ଜେଲ୍‌ ଓ ଘେଜ୍‌ଙ୍କୁ ୨୫ ଲକ୍ଷ କ୍ରୋନର ଲେଖାଏଁ ମିଳିବ।

ଏଠାରେ ସୂଚନାଯୋଗ୍ୟ, କୃଷ୍ଣଗର୍ତ୍ତ ହେଉଛି ମହାକାଶରେ ଏକ ଅଦୃଶ୍ୟମାନ ଅତି ବିଶାଳ ବସ୍ତୁତ୍ବ ବିଶିଷ୍ଟ ଅଞ୍ଚଳ। ଏହାର ମାଧ୍ୟାକର୍ଷଣ ଶକ୍ତି ଏତେ ଅଧିକ ଯେ ଏହାଠାରୁ କୌଣସି ବସ୍ତୁ ଏପରିକି ଆଲୋକରଶ୍ମି ପରି ବିଦ୍ୟୁତ୍‌-ଚୁମ୍ବକୀୟ ବିକିରଣ ମଧ୍ୟ ଖସି ଯାଇପାରେନାହିଁ। ତେବେ ଶ୍ରେଷ୍ଠ ପଦାର୍ଥବିଜ୍ଞାନୀ ଆଲବର୍ଟ ଆଇନଷ୍ଟାଇନ୍‌ଙ୍କ ପ୍ରସିଦ୍ଧ ଆପେକ୍ଷିକ ତତ୍ତ୍ବର ସିଧାସଳଖ ଫଳସ୍ବରୂପ ହିଁ କୃଷ୍ଣଗର୍ତ୍ତ ସୃଷ୍ଟି ବୋଲି ପେନ୍‌ରୋଜ୍‌ ପ୍ରମାଣସିଦ୍ଧ ଭାବେ ଦର୍ଶାଇପାରିଛନ୍ତି। କୃଷ୍ଣଗର୍ତ୍ତ ପରି କିଛି ରହିଛି ବୋଲି ନିଜେ ଆଇନ୍‌ଷ୍ଟାଇନ୍‌ କେବେ ବିଶ୍ବାସ କରିନଥିଲେ। ତେବେ ତାଙ୍କ ମୃତ୍ୟୁର ଦଶ ବର୍ଷ ପରେ ୧୯୬୫ ଜାନୁଆରିରେ କୃଷ୍ଣଗର୍ତ୍ତର ଗଠନ ଓ ଅସ୍ଥିତ୍ବ ସମ୍ପର୍କରେ ପେନ୍‌ରୋଜ୍‌ ବର୍ଣ୍ଣନା କରିଥିଲେ। ସେହିପରି ବିଗତ ନବେ ଦଶକ ପ୍ରାରମ୍ଭରୁ ଗେଞ୍ଜେଲ୍‌ ଓ ଘେଜ୍‌ ଦଳେ ଜ୍ୟୋତିର୍ବିଜ୍ଞାନୀଙ୍କ ନେତୃତ୍ବ ନେଇ ଛାୟାପଥର କେନ୍ଦ୍ରସ୍ଥଳରେ ଥିବା ‘ସାଗିଟ୍ଟାରିଅସ୍‌-ଏ*’ ନାମକ ଇଲାକାକୁ ପର୍ଯ୍ୟବେକ୍ଷଣ କରି ଆସୁଥିଲେ। ଛାୟାପଥର କେନ୍ଦ୍ରସ୍ଥଳରେ ଥିବା ଏକ ଅଦୃଶ୍ୟ ତଥା ଭୀଷଣ ଭାରୀ ବସ୍ତୁ ହିଁ ନକ୍ଷତ୍ରମାନଙ୍କର ପରିକ୍ରମଣକୁ ପରିଚାଳନା କରୁଛି ବୋଲି ଗେଞ୍ଜେଲ୍‌ ଓ ଗେଜ୍‌ ଆବିଷ୍କାର କରିପାରିଛନ୍ତି।

ସମ୍ବନ୍ଧିତ ଖବର