ଷ୍ଟକ୍‌‌ହୋମ୍‌: ଅର୍ଥନୀତିଜ୍ଞ ଡାରୋନ୍‌ ଏସିମୋଗ୍‌ଲୁ, ସାଇମନ୍‌ ଜନସନ୍‌ ଏବଂ ଜେମ୍‌ସ ଏ ରବିନସନଙ୍କୁ ଅର୍ଥନୀତିରେ ୨୦୨୪ ମସିହା ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଅନୁଷ୍ଠାନଗୁଡ଼ିକ କିଭଳି ପ୍ରତିଷ୍ଠା ହୁଅନ୍ତି ଏବଂ ସମୃଦ୍ଧିକୁ ଏଗୁଡ଼ିକ କିଭଳି ପ୍ରଭାବିତ କରନ୍ତି ତାହା ଉପରେ ଏହି ଅର୍ଥନୀତିଜ୍ଞମାନେ କରିଥିବା ଅଧ୍ୟୟନକୁ ସ୍ବୀକୃତି ଦିଆଯାଇ ନୋବେଲ ପୁରସ୍କାର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି। ରୟାଲ ସ୍ବିଡିଶ୍‌ ଏକାଡେମି ଅଫ୍ ସାଇନ୍‌ସେସ୍‌ ପକ୍ଷରୁ ସୋମବାର କରାଯାଇଥିବା ଘୋଷଣା ଅନୁଯାୟୀ, ଏହି ୩ ଅର୍ଥନୀତି ନୋବେଲ ବିଜେତାଙ୍କୁ ୧୧ ନିୟୁତ କ୍ରୋନର (୧.୧ ନିୟୁତ ଡଲାର) ପୁରସ୍କାର ବାବଦରେ ପ୍ରଦାନ କରାଯିବ। ଏସମୋଗ୍‌ଲୁ ଓ ଜନସନ ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜିରେ ଗବେଷଣା କରୁଥିବାବେଳେ ରବିନସନ୍ ସିକାଗୋ ବିଶ୍ବବିଦ୍ୟାଳୟରେ ଗବେଷଣା କରୁଛନ୍ତି। କିଛି ଦେଶ କାହିଁକି ସଫଳ ହେଉଛନ୍ତି ଏବଂ ଅନ୍ୟମାନେ କାହିଁକି ବିଫଳ ହେଉଛନ୍ତି ତାହା ଉପରେ ଏହି ୩ ଜଣ କାର୍ଯ୍ୟ କରିଛନ୍ତି।

Advertisment

ରୟାଲ ସ୍ବିଡିଶ୍‌ ଏକାଡେମି ଅଫ୍ ସାଇନସେସ୍‌ର ନୋବେଲ କମିଟି ଷ୍ଟକ୍‌ହୋମ୍‌ଠାରେ ଘୋଷଣା ଅବସରରେ କୌଣସି ଦେଶର ସମୃଦ୍ଧି ପାଇଁ ସାମାଜିକ ପ୍ରତିଷ୍ଠାନଗୁଡ଼ିକର ମହତ୍ତ୍ବକୁ ଦର୍ଶାଇଛନ୍ତି। ‌ସେମାନେ ଦର୍ଶାଇଛନ୍ତି ଯେ ଏଭଳି ସମାଜ ଯେଉଁଠି ଆଇନ ବ୍ୟବସ୍ଥା ଠିକ୍ ନାହିଁ ଏବଂ ଲୋକଙ୍କୁ ଶୋଷଣ ହେଉଛି ସେଠାରେ ଦେଶ ବିକାଶ କରିପାରୁନାହିଁ। ଅର୍ଥଶାସ୍ତ୍ର ପାଇଁ ନୋବେଲ ପୁରସ୍କାର ନିମନ୍ତେ ଗଠିତ କମିଟିର ଅଧ୍ୟକ୍ଷ କହିଛନ୍ତି, ଦେଶଗୁଡ଼ିକ ମଧ୍ୟରେ ଆୟରେ ରହିଥିବା ବଡ଼ ପାର୍ଥକ୍ୟକୁ କମ୍‌ କରିବା ଆମ ସମୟର ଆହ୍ବାନଗୁଡ଼ିକ ମଧ୍ୟରେ ଅନ୍ୟତମ। ଏହା ହାସଲ କରିବା ପାଇଁ ହେଲେ ସାମାଜିକ ପ୍ରତିଷ୍ଠାନଗୁଡ଼ିକର ମହତ୍ତ୍ବକୁ ଦର୍ଶାଇଛନ୍ତି। ନୋବେଲ ବିଜେତାମାନଙ୍କର ଅଧ୍ୟୟନ ଦେଶର ଅସଫଳତା ଓ ସଫଳ ହେବାର ମୂଳ କାରଣକୁ ଜାଣିବାରେ ଗଭୀର ଜ୍ଞାନ ପ୍ରଦାନ କରିଛି। 

କେଉଁ ପରିସ୍ଥିତିରେ ରାଜନୈତିକ ଅନୁଷ୍ଠାନ ଗଠନ ଓ ପରିବର୍ତ୍ତନ କରାଯାଏ ତାହା ବୁଝାଇବା ପାଇଁ ନୋବେଲ ପୁରସ୍କାର ବିଜେତାଙ୍କ ମଡେଲର ତିନୋଟି ଉପାଦାନ ରହିଛି। ପ୍ରଥମଟି ହେଉଛି ସମ୍ବଳ କିପରି ଆବଣ୍ଟନ କରାଯାଏ ଏବଂ ସମାଜରେ (ସମ୍ଭ୍ରାନ୍ତ କିମ୍ବା ଜନସାଧାରଣ) କିଏ ନିଷ୍ପତ୍ତି ନେବାର କ୍ଷମତା ରଖେ ତାହାକୁ ନେଇ ବିବାଦ। ଦ୍ବିତୀୟଟି ହେଉଛି ଜନସାଧାରଣ ବେଳେବେଳେ ଏକାଠି ହୋଇ ଶାସକବର୍ଗଙ୍କୁ ଧମକଚମକ ଦେଇ କ୍ଷମତା ପ୍ରୟୋଗ କରିବାର ସୁଯୋଗ ପାଇଥାନ୍ତି। ତେଣୁ ନିଷ୍ପତ୍ତି ନେବାର କ୍ଷମତା ଠାରୁ ସମାଜର କ୍ଷମତା ଅଧିକ। ତୃତୀୟଟି ହେଉଛି ପ୍ରତିବଦ୍ଧତା ସମସ୍ୟା, ଅର୍ଥାତ୍ ଏକମାତ୍ର ବିକଳ୍ପ ହେଉଛି ଜନସାଧାରଣଙ୍କୁ ନିଷ୍ପତ୍ତି ନେବାର କ୍ଷମତା ହସ୍ତାନ୍ତର କରିବା। ଉଲ୍ଲେଖଯୋଗ୍ୟ, ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଅର୍ଥନୀତିରେ ନୋବେଲ ପୁରସ୍କାର ୧୯୬୯ ମସିହାରୁ ପ୍ରଦାନ କରାଯାଇ ଆସୁଛି।